ଉଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ: ୬୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଆଇନଜୀବୀ କୋର୍ଟ ନ ଆସନ୍ତୁ

କଟକ: ଦିନକୁ ଦିନ କରୋନା ସ୍ଥିତି ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ କରୋନା ବିଶେଷକରି ବୟସ୍କ ଓ ବୃଦ୍ଧମାନଙ୍କଠାରେ ଅଧିକମାତ୍ରାରେ ଦେଖାଯାଉଛି । ଏଭଳି ପରିସ୍ଥିତିକୁ  ଦୃଷ୍ଟିରେ ରଖି  ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଆଇନଜୀବୀ କୋର୍ଟ ନ ଆସିବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏଥିପାଇଁ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ସଂପୃକ୍ତ ଆଇନଜୀବୀମାନଙ୍କୁ ଅନୁରୋଧ କରାଯିବ। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଆଜି ହାଇକୋର୍ଟ ରେଜିଷ୍ଟ୍ରି, ଆଡଭୋକେଟ ଜେନେରାଲ ଓ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପ୍ରତିନିଧିଙ୍କ ମଧ୍ୟରେ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଥିଲା। ଆଲୋଚନା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନିୟମାବଳୀ ଆଧାରରେ ୬୫ ବର୍ଷରୁ ଅଧିକ ବୟସ୍କ ଆଇନଜୀବୀଙ୍କୁ କୋର୍ଟକୁ ନ ଆସିବାକୁ ଅନୁରୋଧ କରାଯିବ। ଯଦି ଏଭଳି ବୟସ୍କ ଆଇନଜୀବୀ ଘରେ ଥାଇ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟ‌ମରେ କୋର୍ଟରେ ଉପସ୍ଥିତ ରହି ମାମଲା ପରିଚାଳନା ପାଇଁ ଚାହିଁବେ,‌ ତେବେ ସେମାନଙ୍କୁ ସେଂଟ୍ରାଲ ପ୍ରୋଜେକ୍ଟ କୋଅର୍ଡିନେଟର ଲିଙ୍କ୍ ପ୍ରଦାନ କରିବେ। ଏ ନେଇ ଆଇନଜୀବୀଙ୍କୁ ଇ-ମେଲ ମାଧ୍ୟମରେ ସବିଶେଷ ତଥ୍ୟ ଲିଖିତ ଆକାରରେ ହାଇକୋର୍ଟରେ ଦାଖଲ କରିବାକୁ ପଡିବ। କେସ୍ ନମ୍ବର, ଲିଷ୍ଟର ଆଇଟମ୍ ନମ୍ବର, ଖଣ୍ଡପୀଠ, ଯୋଗାଯୋଗ ମୋବାଇଲ ନମ୍ବର, ଯେଉଁ ଇ-ମେଲ ଆଇଡିକୁ ଭିଡିଓ କନଫରେନ୍ସିଂ ଲିଙ୍କ ପଠାଯିବ ତାର ଠିକଣା ଦାଖଲ କରିବାକୁ ହେବ।

କାର୍ଯ୍ୟ ଶେଷ ହେବା ପରେ କୋର୍ଟ ପରିସରରେ ଉପସ୍ଥିତ ନ ରହିବାକୁ ବାର୍ ଆସୋସିଏସନ୍ ପକ୍ଷରୁ ସମସ୍ତ ଆଇନଜୀବୀଙ୍କ ଅନୁରୋଧ କରାଯିବ। ଏଥି ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି ସମୟରେ ଭିଡିଓ କନଫରେନ୍ସ କୋର୍ଟ ହଲରେ ସାମାଜିକ ଦୂରତା ବଜାୟ ରଖି ୪ରୁ ୫ ଜଣ ଆଇନଜୀବୀ ଉପସ୍ଥିତ ରହିବା ପ୍ରସଙ୍ଗରେ ହାଇକୋର୍ଟ ବାର୍ ଆସୋସିଏସନକୁ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରାଯାଇଛି।