ହାଇକୋର୍ଟରୁ ମିଳିଲା ଜାମିନ, ଜେଲରୁ ମୁକୁଳିବେ ଅଭିଜିତ ଆୟର

ଭୁବନେଶ୍ୱର : ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ ଜାମିନ୍ ମିଳିଛି । ହାଇକୋର୍ଟ ଅଭିଜିତଙ୍କୁ ଜାମିନ ଦେଇଛନ୍ତି । ସହିଦନଗର ଏବଂ କୋଣାର୍କ ଥାନାରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି । ଜାମିନ ବେଳେ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ତେବେ ରାଜ୍ୟ ସରକାର ଅଭିଜିତଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ପରେ ଅଭିଜିତ ଆୟାରଙ୍କୁ ଆଜି ଜାମିନ୍ ମିଳିଛି ।

ଜେଲରୁ ମୁକୁଳିବେ ଅଭିଜିତ୍ । ମଙ୍ଗଳବାର ରାଜ୍ୟ ସରକାର ଅଭିଜିତଙ୍କ ବିରୋଧରେ ଚାଲିଥିବା ମାମଲା ପ୍ରତ୍ୟାହାର କରିବା ପରେ ବୁଧବାର ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ସହିଦ ନଗର ଓ କୋଣାର୍କ ଥାନାରେ ରୁଜୁ ହୋଇଥିବା ମାମଲାରେ ଜାମିନ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ତେବେ ଜାମିନ ବେଳେ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଅଭିଜିତ୍ ଆୟାରଙ୍କ ଉପରେ ଥିବା ମାମଲା ପ୍ରତ୍ୟାହାର ହେବ ବୋଲି ଗୃହ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ଜାରି କରାଯାଇଥିଲା । ରାଜ୍ୟ ସରକାରଙ୍କୁ ଅଭିଜିତ୍ ଲେଖିଥିବା ଚିଠିକୁ ବିଚାରକୁ ନେଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ ।

ଅଭିଜିତଙ୍କୁ ମୁକୁଳାଇବା ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ବିଜେପି ନେତା ସୁବ୍ରମଣ୍ୟମ୍ ସ୍ବାମୀ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ନବୀନ ଓ ଓଡ଼ିଶା ବିଧାନଭାର ସଦସ୍ୟ ଏଥିପାଇଁ ବିଶାଳ ହୃଦୟର ପରିଚୟ ଦେଇଥିବା କହିଛନ୍ତି ।
କୋଣାର୍କ ଏବଂ ଓଡ଼ିଆଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ ଅଭିଜିତ ଆୟାର ମିତ୍ର । ସେପ୍ଟେମ୍ବର ୨୧ ତାରିଖରେ ତାଙ୍କୁ ଦିଲ୍ଲୀରେ ଗିରଫ କରାଯାଇଥିଲା । ସେଦିନ ସେଠାରେ ସେ ଜାମିନ ପାଇଯାଇଥିଲେ । ୨୩ ଅକ୍ଟୋବରରେ ବିଧାନସଭାରେ ଗୃହ କମିଟିରେ ହାଜର ହୋଇ ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ ଅଭିଜିତ୍ । ସେହି ସଂଧ୍ୟାରେ ତାଙ୍କୁ ଗିରଫ କରିଥିଲା ଓଡ଼ିଶା ପୋଲିସ । ତାଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଥିଲା । ରିମାଣ୍ଡରେ ନେଇ ପୋଲିସ ତାଙ୍କୁ ପଚରା ଉଚରା କରିଥିଲା । ନିସର୍ତ୍ତ କ୍ଷମା ପ୍ରାର୍ଥନା ସହ ମାମଲା ପ୍ରତ୍ୟାହାର କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ଅଭିଜିତ । ନଭେମ୍ବର ୧୬ରେ ବିଧାନସଭା ଗୃହ କମିଟି ତାଙ୍କୁ କ୍ଷମା ଦେଇଥିଲା ।