କରୋନା ସଂକ୍ରମଣ ଭୟ,୨୦ ମେ’ରୁ ୨୭ ମେ’ ଯାଏ ହାଇକୋର୍ଟ ବନ୍ଦ

କଟକ  :  ୨୦ ମେ’ରୁ ୨୭ ମେ’ ଯାଏ ହାଇକୋର୍ଟ ବନ୍ଦ ରହିବ ବୋଲି ଜଣାପଡ଼ିଛି। କଟକ ସହରରେ କରୋନା ସଂକ୍ରମଣ ବୃଦ୍ଧିକୁ ଲକ୍ଷ କରି ଏଭଳି ନିଷ୍ପତ୍ତି ନିଆଯାଇଛି। ଗୋଟିଏ ପଟେ ସଂକ୍ରମଣ ବୃଦ୍ଧି ଏବଂ କୋର୍ଟର କିଛି କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ହାଇକୋର୍ଟ ବନ୍ଦ ନିଷ୍ପତ୍ତି ହୋଇଛି। ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ନେଇ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ଜରୁରୀ ମାମଲାର ଶୁଣାଣି ପାଇଁ ରେଜିଷ୍ଟ୍ରାର ଜୁଡିସିଆଲଙ୍କୁ ଆବେଦନ କରିହେବ ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଛି। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୪୪୦୧ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୧୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୮୮୫ ଜଣ ସ୍ଥାନୀୟ ସଂକ୍ରମଣ ।

ଅନ୍ୟପଟେ ଖୋର୍ଦ୍ଧା ପରେ ଦ୍ବିତୀୟ ସର୍ବାଧିକ କରୋନା ସଂକ୍ରମିତ କଟକରୁ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ କଟକରୁ ୮୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ଆଗରେ ରହିଛି ଖୋର୍ଦ୍ଧା। ଜିଲ୍ଲାରେ ୨୪ ଘଣ୍ଟାରେ ସର୍ବାଧିକ ୧୪୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଟ୍ବିଟ୍‌ରୁ ଜଣାପଡ଼ିଛି।

Odisha high count shutdown till 27th may