ସଂଗ୍ରହ ହେଲା ରୋଗୀଙ୍କ ଫୋନ ନମ୍ବର, ଗାନ୍ଧୀ ଜୟନ୍ତିରେ କଥା ହେବେ ସିଏମ

ସ୍ୱାସ୍ଥ୍ୟ ବିଭାଗରୁ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ  

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ରାଜ୍ୟରେ ଅକ୍ଟୋବର ୨ରୁ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ। ଗାନ୍ଧୀ ଜୟନ୍ତିରେ ପ୍ରଥମେ ସ୍ବାସ୍ଥ୍ୟ ବିଭାଗରୁ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାସ୍ଥ୍ୟ ବିଭାଗରେ କିପରି ସେବା ମିଳୁଛି ସେନେଇ ମୁଖ୍ୟମନ୍ତ୍ରୀ  ଲୋକଙ୍କ ସହ କଥା ହେବେ।

ଏଥିପାଇଁ ସ୍ବାସ୍ଥ୍ୟ ବିଭାଗକୁ ଆସୁଥିବା ରୋଗୀ ମାନଙ୍କର ଟେଲିଫୋନ ନମ୍ବର ସଂଗ୍ରହ କରିବାକୁ ରାଜ୍ୟର ସବୁ ମେଡିକାଲ କଲେଜ, କଟକ ଶିଶୁ ଭବନ ଓ ସିଡିଏମଓ ମାନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ। ସର୍ଜରୀ ରୋଗୀ ଓ ତାହା ସହ ବିଭିନ୍ନ ବିଭାଗର  ଓପିଡି, ଆଇପିଡି କୁ ଆସୁଥିବା ରୋଗୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ବିଭାଗକୁ ପଠାଇବାକୁ କୁହାଯାଇଛି। ମେଡିକାଲ କଲେଜ ହସ୍ପିଟାଲରେ ଦିନକୁ ୨୦ ଜଣ ରୋଗୀଙ୍କ ନମ୍ବର, ଜିଲ୍ଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ଓ ସିଏଚସି କୁ ଚିକିତ୍ସା ଲାଗି ଆସୁଥିବା ରୋଗୀଙ୍କ  ଭିତରୁ ଦିନକୁ ୫ ଜଣ ରୋଗୀଙ୍କ ନମ୍ବର ସଂଗ୍ରହ କରି ସରକାରଙ୍କୁ ପଠାଇବାକୁ ନିର୍ଦେଶ ଦିଆଯାଇଛି। ଏହାସହ ସେମାନେ ଫିଡ୍‌ ବ୍ୟାକ ଫର୍ମ ପୁରଣ କରି ପଠାଇବେ ବୋଲି ନିର୍ଦ୍ଦେଶ ରହିଛି।

ସେପଟେ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। କହିଛନ୍ତି ଡାକ୍ତରଖାନାରେ ଭିତ୍ତିଭୂମି ନାହିଁ କି ଡାକ୍ତର ନାହାନ୍ତି ଏଥିରେ ରୋଗୀ କଣ ସେବା ପାଇବେ ଓ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହେବେ। ଏହା କେବଳ ଲୋକ ଦେଖାଣିଆ। ଏହାର ଜବାବ ରଖିଛି ବିଜେଡି ।