ପ୍ରବାସୀ ଓଡ଼ିଆଙ୍କ ପାଇଁ “ଅପରେସନ୍ ଶୁଭଯାତ୍ରା” ଆରମ୍ଭ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଘରକୁ ଫେରାଇ ଆଣିବାକୁ  ରାଜ୍ୟସରକାର ଅରମ୍ଭ କରିଛନ୍ତି ଏକ ନୂଆ ଅଭିଯାନ- ‘ଅପରେସନ୍ ଶୁଭଯାତ୍ରା’। ପ୍ରବାସୀଙ୍କୁ କିଭଳି ଅଣାଯିବ ଓ ଏଠାରେ ନିଜ ପଞ୍ଚାୟତରେ ୧୪ ଦିନ କ୍ୱାରେନଂଟାଇନ୍ ରେ ରଖାଯିବ ସେଥିଲାଗି ରାଜ୍ୟସରକାର କରିଥିବା ଯୋଜନାବଦ୍ଧ କାର୍ଯ୍ୟଧାରା ଏବେ ସାରା ଦେଶ ଲାଗି ଉଦାହରଣ ପାଲଟିଛି। ଆଜି ରାଜ୍ୟ ଆଇଟି ଓ ଇଲେକ୍ଟ୍ରୋନିକ୍ସ ସଚିବ ମନୋଜ ମିଶ୍ର ଏହି ସୂଚନା ଦେଇଛନ୍ତି।

ଅପରେସନ୍ ଶୁଭଯାତ୍ରା  ସ୍ବକୀୟତା ହେଲା, କେରଳରୁ ଓଡ଼ିଶା ଆସିଥିବା ସମସ୍ତ ଓଡ଼ିଆଙ୍କର ପରିଚୟ, ସ୍ବାସ୍ଥ୍ୟ ଅବସ୍ଥା ଓ ଠିକଣା ସଂପର୍କିତ ତଥ୍ୟ ସେଠାକାର ସରକାରଙ୍କ ଟିମ୍ ସଂଗ୍ରହ କରି ପଠାଇ ଦେଇଛନ୍ତି। ଟ୍ରେନ୍ ଓଡ଼ିଶା ଛାଡ଼ିବା ପୂର୍ବରୁ ରାଜ୍ୟ ସରକାରଙ୍କ ପାଖରେ ସେଠାରୁ ଆସୁଥିବା ସମସ୍ତଙ୍କ ତଥ୍ୟ ପହଞ୍ଚିଛି। ଏଥିସହ ସମସ୍ତ ପ୍ରବାସୀ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି। ଫଳରେ ଯାତ୍ରୀ ଟ୍ରେନରୁ ଓହ୍ଲାଇବା ପରେ ବିନା କୗଣସି ଦ୍ବନ୍ଦ୍ବରେ ସରକାରୀ ବ୍ୟବସ୍ଥାରେ ନିଜ ପଞ୍ଚାୟତରେ ପହଞ୍ଚି ପାରିବେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅନ୍ୟରାଜ୍ୟର ଟିମ୍ ଓଡ଼ିଶା ଫେରନ୍ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରି ଏକ ନୋ ଅବଜେକସନ୍ ସାର୍ଟିଫିକେଟ୍ ପ୍ରଦାନ କରୁଛି ଏଥିସହ ପ୍ରାଥମିକତା ଭିତ୍ତିରେ .ଫେରନ୍ତାଙ୍କୁ ଅନୁମତି ଦେଉଛି। ଏହି ମଡେଲ୍ ଏବେ ଅନ୍ୟ ରାଜ୍ୟ ଅନୁସରଣ କରିବେ ବୋଲି ଆଶା କରାଯାଉଛି।

ଗତକାଲି କେରଳରୁ ୧୧୫୦ ଜଣ ଓଡ଼ିଆ ଭାଇ-ଭଉଣୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ଓଡ଼ିଶା ଅଭିମୁଖେ ବାହାରିଛି । ଏହି ଟ୍ରେନ ଆସନ୍ତାକାଲି (ରବିବାର) ସକାଳୁ ଓଡ଼ିଶାରେ ପହଞ୍ଚିବ । ଏଥିରେ ରାଜ୍ୟର ୨୩ ଜିଲ୍ଲାର ପ୍ରବାସୀ ଓଡ଼ିଆ ଅଛନ୍ତି, ଯେଉଁମାନେ କି କେରଳର ବିଭିନ୍ନ ସ୍ଥାନରେ କାମ କରୁଥିଲେ । ତେବେ ସମସ୍ତଙ୍କ ସହ ଯୋଗାଯୋଗ କରି ଗୋଟିଏ ରେଳ ଷ୍ଟେସନରେ ଏକତ୍ର କରିବା ପରେ ଟ୍ରେନ ଛାଡ଼ିଛି । ଏଥି ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଏବେ ରାଜ୍ୟ ସରକାରଙ୍କ ଏହି ‘ଅପରେସନ ଶୁଭଯାତ୍ରା’ ସର୍ବଭାରତୀୟ ସ୍ତରରେ ମଡେଲ ପାଲଟିଛି । ରାଜ୍ୟ ଆଇଟି ଓ ଇଲେକ୍ଟ୍ରୋନିକ୍ସ ସଚିବ ମନୋଜ ମିଶ୍ର ଏହା କହିଛନ୍ତି । ପ୍ରବାସୀ ଓଡ଼ିଆମାନେ ସମ୍ମାନ ଓ ସୁବିଧାର ସହ ଆସୁଛନ୍ତି । ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଅନ୍ୟ ରାଜ୍ୟଙ୍କୁ ମଧ୍ୟ ଏହି ଯାତ୍ରା ସଂପର୍କରେ ଜଣାଇଛନ୍ତି ।

ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଇଟି ସଚିବ ମନୋଜ ମିଶ୍ର କହିଛନ୍ତି, ‘ଅପରେସନ ଶୁଭଯାତ୍ରା’କୁ ଜାତୀୟ ସ୍ତରରେ ଗ୍ରହଣ କରାଯିବାର ମୁଖ୍ୟ କାରଣ ହେଲା ଏହି ଅପରେସନ ପାଇଁ ବ୍ୟାପକ ଯୋଜନା ଓ ସୁଚିନ୍ତିତ ବ୍ୟବସ୍ଥା କରାଯାଇଛି । କେରଳରେ ଥିବା ଓଡ଼ିଆ ଭାଇ-ଭଉଣୀମାନଙ୍କୁ ଆଣିବା ପାଇଁ ୧୨ଟି ଟିମ ଗଠନ କରାଯାଇଥିଲା । ପ୍ରଥମେ କେଉଁମାନେ ଓଡ଼ିଶା ଆସିବାର ଅଛି, ସେଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ୨୩ଟି ଜିଲ୍ଲାର ୧୧୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ ସ୍ଥାନରୁ ଗାଡ଼ିରେ ରେଳଷ୍ଟେସନ ଅଣାଯାଇଥିଲା । ଷ୍ଟେସନରୁ ଟ୍ରେନ ଛାଡ଼ିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ଖାଦ୍ୟ ଓ ୫ ଲିଟର ପାଣି ଦିଆଯାଇଥିଲା । ପୁଣି ରାତ୍ରୀ ଭୋଜନ ପାଇଁ ବ୍ୟବସ୍ଥା କରାଯାଇଛି । ମୋଟା ମୋଟି ଭାବେ କହିବାକୁ ଗଲେ ଯାତ୍ରୀମାନଙ୍କୁ ସଂପୂର୍ଣ୍ଣ ଭାବେ ସମ୍ମାନ ଓ ସୁବିଧାର ସହ ଅଣାଯାଉଥିବାରୁ ଏହା ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ଯୋଗାଇବ ।

ସବୁଠାରୁ ବଡ଼ କଥା ହେଲା ଯେ, ପ୍ରବାସୀମାନଙ୍କୁ ସମ୍ମାନର ସହ ଓ ସାମାଜିକ ଦୂରତା ରକ୍ଷା କରି ବସରେ ରେଳ ଷ୍ଟେସନକୁ ଅଣାଯାଇଥିଲା । ଅପରେସନ ଶୁଭଯାତ୍ରା ପାଇଁ କେରଳ ସରକାର ଆମକୁ ବହୁତ ସହଯୋଗ କରିଛନ୍ତି । ସେଠାକାର ସରକାର ଆମକୁ ସମସ୍ତ ତଥ୍ୟ ଦେଇଛନ୍ତି । ରାଜ୍ୟ ସରକାର ପ୍ରବାସୀମାନଙ୍କ ପଂଜୀକରଣକୁ ପୂର୍ବରୁ ବାଧ୍ୟତାମୂଳକ କରିଥିଲେ । ସେହି ଆଧାରରେ କେରଳରୁ ଆସୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଶ୍ରୀ ମିଶ୍ର କହିଛନ୍ତି, ଗୃହ ସଚିବ ସଂଜୀବ ଚୋପ୍ରାଙ୍କୁ ରାଜ୍ୟ ସରକାର ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି । ପ୍ରବାସୀମାନେ ଓଡ଼ିଶାରେ ପହଞ୍ଚିବା ପରେ କେଉଁଠିକୁ ଯିବେ ସେଠାକାର ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି । ଓଡ଼ିଶାରେ ଟ୍ରେନ ପହଞ୍ଚିବା ପରେ ଦକ୍ଷିଣାଞ୍ଚଳ ଜିଲ୍ଲାର ଲୋକେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ଷ୍ଟେସନରେ ଓହ୍ଲାଇବେ । ଅନ୍ୟମାନେ ଖୋର୍ଦ୍ଧା ଜିଲ୍ଲାର ଜଟଣୀସ୍ଥିତ ଖୋର୍ଦ୍ଧାରୋଡ ଷ୍ଟେସନରେ ଓହ୍ଲାଇବେ । ଗନ୍ତବ୍ୟସ୍ଥଳରେ ଓହ୍ଲାଇବା ପରେ ନିଜ ଜିଲ୍ଲାର ଗାଡ଼ିରେ ସେବାନଙ୍କୁ ନିଆଯିବ । ସେଠାରେ ପ୍ରବାସୀଙ୍କୁ ନିଜ ପଞ୍ଚାୟତରେ କ୍ୱାରେଣ୍ଟାଇନରେ ରଖାଯିବ ।

ଏହା ପୂର୍ବରୁ ପ୍ରବାସୀଙ୍କ ପାଇଁ ସୁବ୍ୟବସ୍ଥା କରାଯାଇଛି । ଅପରେସନ ଶୁଭଯାତ୍ରା ଟ୍ରେନ ଯେତେବେଳେ ଷ୍ଟେସନରେ ପହଞ୍ଚିବ, ସେହି ସମୟରେ ସେଠାକୁ ବାହାର ଲୋକ ଯାଇପାରିବେ ନାହିଁ । କେବଳ ରେଳ କର୍ମଚାରୀ ଓ ସରକାରୀ ଅଧିକାରୀ ଓ ପୁଲିସ ଉପସ୍ଥିତ ରହିବେ ।