୧କିମିରୁ ଦୂରରେ ଥିବା ସ୍କୁଲ ଯିବାକୁ ଛାତ୍ରଛାତ୍ରୀଙ୍କୁ ମିଳିବ ଯାତାୟତ ଖର୍ଚ୍ଚ

କୋରାପୁଟ :ରାଜ୍ୟରେ ୧୦ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ତେବେ ୧୦ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ତଥା ବନ୍ଦ ହେବାକୁ ଥିବା ବିଦ୍ୟାଳୟ ଗୁଡିକର ପିଲାଙ୍କୁ ନିକଟସ୍ଥ ସ୍କୁଲରେ ପଢାଇବାକୁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ଏକ ନୂତନ ଘୋଷଣା କରିଛନ୍ତି । ବନ୍ଦ ହେଉଥିବା ସ୍କୁଲର ପିଲା ନିକଟସ୍ଥ ସ୍କୁଲରେ ପାଠ ପଢିବେ । ୧କିମିରୁ ସ୍କୁଲ ଅଧିକ ଦୂର ହେଲେ ଯାତାୟତ ଖର୍ଚ୍ଚ ସରକାର ଦେବେ ବୋଲି ଘୋଷଣା କରାଯାଇଛି ।

ସୂଚନାନୁସାରେ, ରାଜ୍ୟରେ ୧୦ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ସମୁଦାୟ ୯୬୬ଟି ସ୍କୁଲ ଚିହ୍ନଟ କରାଯାଇଛି । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯିବ ଏବଂ ବିଦ୍ୟାଳୟ ୧କିମିରୁ ଦୂରରେ ଥିଲେ ସମସ୍ତ ଖର୍ଚ୍ଚ ସରକାର ଯୋଗେଇ ଦେବେ ବୋଲି କୁହାଯାଇଛି । 

୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ଥିଲେ ମାସକୁ ୬ଶହ ହିସାବରେ ବାର୍ଷିକ ୬ ହଜାର ମିଳିବ । ୫୦ରୁ ୭୫ ପ୍ରତିଶତ ପାଇଁ ମାସକୁ ୪ଶହ ହିସାବରେ ବାର୍ଷିକ ୪ହଜାର ମିଳିବ । ୩୦ରୁ ୫୦ ପ୍ରତିଶତ ଉପସ୍ଥାନ ପାଇଁ ମାସିକ ୩ଶହ ବାବଦରେ ବାର୍ଷିକ ୩ହଜାର ମିଳିବ । କିନ୍ତୁ ୩୦ ପ୍ରତିଶତରୁ କମ୍ ଉପସ୍ଥାନ ଥିଲେ ଯାତାୟତ ଖର୍ଚ୍ଚ ମିଳିବ ନାହିଁ । ଏହି ଯାତାୟତ ଖର୍ଚ୍ଚ ସିଧାସଳଖ ଭାବରେ ଅଭିଭାବକଙ୍କ ଆକାଉଂଟକୁ ଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।