ସାମ୍ନାକୁ ଆସିଲା ରାଜ୍ୟର ୫ମ କୋରୋନା ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାର ୫ମ କୋରୋନା ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଲୋକଲୋଚନା କରାଯାଇଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍ ଯୋଗେ ଏହା ଜାରି କରାଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ଯେ, ୫ମ କରୋନା ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରା ଅସୁସ୍ଥ ଅନୁଭବ କରିବା ପରେ ପ୍ରଥମେ  ସୂର୍ଯ୍ୟନଗରସ୍ଥିତ ମହାଶକ୍ତି କ୍ଲିନିକକୁ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଯାଇଥିଲେ । ଚିକିତ୍ସା ପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଆଦୌ ଉନ୍ନତି ନହେବାରୁ ସେ ପୁଣି ଥରେ ସେ ମାର୍ଚ୍ଚ ୧୨ ତାରିଖରେ ମହାଶକ୍ତି କ୍ଲିନିକକୁ ଯାଇଥିଲେ ।

ମହାଶକ୍ତି କ୍ଲିନିକକୁ ୨ ଥର ଯିବା ପରେ ମଧ୍ୟ ପ୍ରଦୀପ୍ତଙ୍କ ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ତେଣୁ ସେ ମାର୍ଚ୍ଚ ୨୭ ତାରିଖ ଦିନ ସମ ହସ୍ପିଟାଲକୁ ଯାଇଥିଲେ । ଏଠାରେ ସେ ଓପିଡିରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ପୁଣି ଦିନକ ପରେ ଅର୍ଥାତ ମାର୍ଚ୍ଚ ୨୮ ତାରିଖ ଦିନ ଭୁବନେଶ୍ୱର ଏମ୍ସକୁ ଯାଇ ଓପିଡିରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଘରକୁ ଫେରିଥିଲେ ପ୍ରଦୀପ୍ତ ।

ତେବେ ମାର୍ଚ୍ଚ ୩୧ ତାରିଖ ଦିନ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ପ୍ରଦୀପ୍ତଙ୍କୁ ଏମ୍ସରେ ଅଧିକ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା ।  ଏଠାରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା ଲାଗି ସଂଗୃହୀତ ହୋଇଥିଲା ଏବଂ ଏପ୍ରିଲ ତାରିଖ ଦିନ ସେ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଥିଲେ ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ପୂର୍ବରୁ ପ୍ରଦୀପ୍ତ ଦଳବେହେରାଙ୍କ ପରିଚୟ ସାର୍ବଜନୀନ କରିଥିଲେ । ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଥିଲେ । ସେ ସ୍ଥାନୀୟ ୟୁନିଟ-୭ର ସୂର୍ଯ୍ୟନଗରସ୍ଥିତ ର ୩୭ ନମ୍ବର ପ୍ଲଟର ୪୬ ନମ୍ବର ୱାର୍ଡରେ ନିଜ ପରିବାର ସହ ରହୁଛନ୍ତି । ଯଦିଓ ସେ ବିଦେଶ ଯାଇ ନାହାନ୍ତି ତଥାପି ନିକଟସ୍ଥ ବଜାରକୁ ଯାଇ ସଂକ୍ରମଣର ସମ୍ମୁଖୀନ ହୋଇଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି । ୫ମ କରୋନା ଆକ୍ରାନ୍ତ ବ୍ୟକ୍ତି ମୋଟ ୨୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ବୋଲି ଓଡ଼ିଶା ସରକାରଙ୍କ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଇତି ମଧ୍ୟରେ ସୂର୍ଯ୍ୟନଗରକୁ ରାଜ୍ୟ ସରକାର କଡ଼ାକଟକଣା ଲଗାଇଛନ୍ତି । ଏଠାରେ ବେରିକେଡ ଲଗାଇଛନ୍ତି । ସ୍ଥାନୀୟ ଲୋକଙ୍କୁ ଖାଦ୍ୟ ଓ ସ୍ୱାସ୍ଥ୍ୟ ଯୋଗାଇବା ପାଇଁ ଜଣେ ଡାକ୍ତରଙ୍କ ସମେତ ୩ ଜଣ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ।