ସତ ମାନିଲେ ସରକାର,୨୭ ନୁହେଁ ବାତ୍ୟା ଓ ବନ୍ୟାରେ ଯାଇଛି ୫୭ ଜୀବନ

ଭୁବନେଶ୍ବର : ତିତଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ମୃତାହତଙ୍କ ସଂଖ୍ୟା ବଢୁଥିବା ବେଳେ କ୍ଷୟକ୍ଷତିର ପରିମାଣ ମଧ୍ୟ ବଢ଼ିଚାଲିଛି । ମୃତ୍ୟୁ ସଂଖ୍ୟା  ପ୍ରଥମେ ୧୮ ଏବଂ ପରେ ୨୬ ବୋଲି ସରକାର କହିଥିଲେ । ଆଜି ସରକାର ଦେଇଥିବା ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୫୭ରେ ପହଞ୍ଚିଛି । ତିତଲି ବାତ୍ୟା  ନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ
ଏପର୍ଯ୍ୟନ୍ତ ତିତଲି ବାତ୍ୟା ଓ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୫୭ରେ ପହଞ୍ଚିଥିବା ସୂଚନା ଦେଇଛନ୍ତି ।

୧୦ ଜଣଙ୍କ ମୃତ୍ୟୁ ଖବର ନେଇ ଅନୁଧ୍ୟାନ ଚାଲିଛି ।  ଗଜପତିରେ ୩୯ ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମରେ ୧୨ ଏବଂ କନ୍ଧମାଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି କଟକ, ନୟାଗଡ, ଅନୁଗୁଳ,  ଓ କେନ୍ଦୁଝରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ପ୍ରାଥମିକ କ୍ଷୟକ୍ଷତି ଆକଳନ ୨୨୦୦ ଶହ କୋଟି ଟଙ୍କାରେ ପହଞ୍ଚିଛି । ଆସନ୍ତା ୨୦ ତାରିଖ ସୁଦ୍ଧା  କ୍ଷୟକ୍ଷତିର ସଂପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ ହେବ । ରାସ୍ତାଘାଟ ପାଇଁ ୫୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ବିଦ୍ୟୁତ ବାବଦରେ ୧୩୩ କୋଟି  ଟଙ୍କା କ୍ଷତି ହୋଇଛି । ଘର ଭାଙ୍ଗିବା ବାବଦରେ ୧୫୦ କୋଟି ଟଙ୍କା କ୍ଷତି ହୋଇଛି, ଫସଲ ନଷ୍ଟ ବାବଦରେ ପାଇଁ ୨୩୩ କୋଟି ଟଙ୍କାର କ୍ଷୟକ୍ଷତି  ଆକଳନ କରାଯାଇଛି । ସଂପୂର୍ଣ୍ଣ କ୍ଷୟକ୍ଷତି ଆକଳନ କରିବାକୁ ଆଉ ୨ ଦିନ ଲାଗିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ  ପୁନଃଉଦ୍ଧାର କାମ ସରିଲାଣି । ୨୨ ତାରିଖ ସୁଦ୍ଧା ସବୁ ପୁନଃରୁଦ୍ଧାର କାମ ସରିବ । ଏହାପରେ କେନ୍ଦ୍ରକୁ କ୍ଷୟକ୍ଷତି ରିପୋର୍ଟ ଦିଆଯିବ । ବର୍ତ୍ତମାନ ସୁଦ୍ଧା
ପ୍ରଭାବିତ ଜିଲ୍ଲା ଗୁଡ଼ିକରେ କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇନାହିଁ । ଗଞ୍ଜାମରେ କ୍ଷତିଗ୍ରସ୍ତ ଲୋକଙ୍କୁ ପରିବାର ପିଛା ୨୦୦୦ ଟଙ୍କା  ଦିଆଯାଉଛି । ଏହାସହ ଚାଉଳ ଓ କିରୋସିନି ମଧ୍ୟ ଯୋଗାଇ ଦିଆଯାଉଛି