ବ୍ରହ୍ମପୁରର ହିଞ୍ଜିଳିକାଟୁ ଆଇଟିଆଇରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର : ଓଡ଼ିଶା ସରକାର ଓ ଏଲ୍‌ ଆଣ୍ଡ ଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଶିଳ୍ପ ସଂସ୍ଥା ପାଇଁ ଆବଶ୍ୟକ ଦକ୍ଷ ଓ କୁଶଳୀ ମାନବସମ୍ବଳ ମିଳିବା ସହଜ ହୋଇପାରିବ

ଭୁବନେଶ୍ୱର : ବ୍ରହ୍ମପୁରର ହିଞ୍ଜିଳିକାଟୁସ୍ଥିତ ଆଇଟିଆଇରେ ୪୦୦ କେଭି ବିଦୁ୍ୟତ ଟାୱାର ପ୍ରତିଷ୍ଠା, ଏହାର ରକ୍ଷଣାବେକ୍ଷଣ ଓ ବିଦୁ୍ୟତ ସରବରାହ ସଂପର୍କିତ ପାଠ୍ୟକ୍ରମ ପ୍ରଚଳନ କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର(ସେଣ୍ଟର ଅଫ୍‌ ଏକ୍ସଲେନ୍ସି) ପ୍ରତିଷ୍ଠା ପାଇଁ ଚେନ୍ନାଇର ଲାର୍ସନ ଆଣ୍ଡ ଟର୍ବୋ ଲିମିଟେଡ୍‌ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଓ ଲାର୍ସନ ଆଣ୍ଡ ଟର୍ବୋ ପକ୍ଷରୁ ମାନବସମ୍ବଳ ପରିଚାଳନା ମୁଖ୍ୟ ଶ୍ରୀ ପନ୍ମନାଭନ୍‌ ଏସ୍‌.ଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଏହି ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟରେ ସର୍ବଶେଷ ଡ୍ରୋନ୍‌ ଟେକ୍‌ନୋଲୋଜିର ବ୍ୟବହାର କରାଯିବ ।
ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଅବସରରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି., ଲାର୍ସନ ଆଣ୍ଡ ଟର୍ବୋର ଜେନେରାଲ୍‌ ମ୍ୟାନେଜର ଆଣ୍ଡ ଟ୍ରାନ୍ସମିଶନ ଲାଇନ୍‌ ଶ୍ରୀ ପି. ରାଜେଶ ନରାୟଣ ଓ ଡେପୁିଟି ଜେନେରାଲ ମ୍ୟାନେଜର, ପ୍ରୋଜେକଫ ଡେଭଲପ୍‌ମେଣ୍ଟ ଶ୍ରୀ ସୁମିତ ଗାଙ୍ଗୁଲି ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୪.୯ କୋଟି ଟଙ୍କା ହୋଇଥିବାବେଳେ ଏହି ଖର୍ଚ୍ଚ ଓଡ଼ିଶା ଖଣି ନିଗମ ବହନ କରିବ । ହିଞ୍ଜିଳିକାଟୁ ଆଇଟିଆଇରେ ଏଭଳି ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏହା ଦ୍ୱାରା ଶିକ୍ଷାର୍ଥୀ ଓ ତାଲିମ ଗ୍ରହଣକାରୀ ଉଭୟ ୪୦୦ କେଭି ଉଚ୍ଚକ୍ଷମତାସଂପନ୍ନ ବିଦୁ୍ୟତ ଟାୱାର ପ୍ରତିଷ୍ଠା ଓ ବିଦୁ୍ୟତ ସରବରାହର ରକ୍ଷଣାବେକ୍ଷଣ ତଥା ପରିଚାଳନାଗତ ବୈଷୟିକ ଜ୍ଞାନ ସର୍ବଶେଷ ଡ୍ରୋନ୍‌ ଟେକ୍‌ନୋଲୋଜି ମାଧ୍ୟମରେ କିଭଳି ସଂପନ୍ନ ହେଉଛି ସେ ସଂପର୍କରେ ଅଧିକତର ଜ୍ଞାନ ହାସଲ କରିପାରିବେ, ଯାହାକି ବର୍ତ୍ତମାନର ଶିଳ୍ପ ପାଇଁ  ବହୁମାତ୍ରାରେ ଆବଶ୍ୟକ ପଡ଼ୁଛି । ଏହା ଦ୍ୱାରା ଦକ୍ଷ ଓ କୁଶଳୀ ମାନବସମ୍ବଳର ବିକାଶ ସହ ବିଦୁ୍ୟତ ସରବରାହ କ୍ଷେତ୍ରରେ ଆବଶ୍ୟକ ମାନବସମ୍ବଳର ଚାହିଦା ପୂରଣ ହୋଇପାରିବ । ଅନ୍ୟପକ୍ଷରେ ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା କୋଭିଡ୍‌ ମହାମାରୀ ପ୍ରଭାବରେ ଗଞ୍ଜାମ ଫେରନ୍ତା ଅଣକୁଶଳୀ ଶ୍ରମଶକ୍ତିଙ୍କ ପୁନଃ ତାଲିମ ଦ୍ୱାରା କୁଶଳୀ ଶ୍ରମଶକ୍ତିରେ ପରିଣତ କରିବା ସହ ଆଇଟିଆଇରୁ ଉତ୍ତୀର୍ଣ୍ଣ ତାଲିମ ଗ୍ରହୀତାଙ୍କୁ ଦକ୍ଷ ମାନବସମ୍ବଳରେ ପରିଣତ କରାଯାଇପାରିବ । ହିଞ୍ଜିକାଟୁ ହୋଇ ଯାଇଥିବା ଓଡ଼ିଶା ପାୱାର ଟ୍ରାନ୍ସମିଶନ୍‌ କର୍ପୋରେସନ୍‌ ଲିଃର ୧୩୨ କେଭି ଲାଇନ୍‌ରେ ଏହି ତାଲିମ ଦିଆଯିବା ସହଜ ହେବ । ଫଳରେ ଭବିଷ୍ୟତରେ ସେମାନେ ୪୦୦ କେଭି ଭଳି ଉଚ୍ଚ ବିଦୁ୍ୟତ କ୍ଷମତାସଂପନ୍ନ ସରବରାହରେ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ କରିପାରିବେ । ଏହି ତାଲିମ କାର୍ଯ୍ୟରେ ଡ୍ରୋନ୍‌ ସହ ଥର୍ମାଲ କ୍ୟାମେରା ଟେକ୍‌ନୋଲୋଜିର ବ୍ୟବହାର ଦ୍ୱାରା ଟ୍ରାନ୍ସମିଶନ ଲାଇନ୍‌ର ରକ୍ଷଣାବେକ୍ଷଣ ଓ ସରବରାହ ମାଧ୍ୟମରେ ହଟ୍‌ସ୍ପଟ୍‌ଗୁଡ଼ିକ ଚିହ୍ନଟ କରିବାରେ ସହାୟକ ହୋଇପାରିବ । ଏହା ଦ୍ୱାରା ଶିଳ୍ପ ସଂସ୍ଥାଗୁଡ଼ିକ ଏହି ଉତ୍କର୍ଷ କେନ୍ଦ୍ରରୁ ଆବଶ୍ୟକ ଦକ୍ଷ, କୁଶଳୀ ମାନବସମ୍ବଳ ପାଇବା ସମ୍ଭବ ହୋଇପାରିବ ।