ଭୁବନେଶ୍ବରରେ କ୍ୟାନସର ହସପିଟାଲ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ

ରାଜ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଐତିହାସିକ ଦିନ

ଭୁବନେଶ୍ବର : ଭୁବନେଶ୍ବରରେ କ୍ୟାନସର ହସପିଟାଲ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର, ଶ୍ରୀଶଙ୍କର କ୍ୟାନସର ଇନଷ୍ଟିଚ୍ୟୁଟ, କରୁଣାଶ୍ରୟ ପାଲିଆଟିଭ କେୟାର ଓ ସୁସ୍ମିତା ବାଗଚୀଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ବୁଧବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରେ ଦେଶର ଏକ ବୃହତ ଅଙ୍କଲୋଜୀ ( ଟ୍ୟୁମର ଚିକିତ୍ସା) କେନ୍ଦ୍ର ପ୍ରତିଷ୍ଠା ପାଇଁ ୩୪୦ କୋଟି ଟଙ୍କା ଦାନ କରିଥିବାରୁ ସୁବ୍ରତ ବାଗଚୀ ଓ ସୁସ୍ମିତା ବାଗଚୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଦକ୍ଷତା ବିକାଶ ଓ ମୋ ସ୍କୁଲ ମାଧ୍ୟମରେ ବାଗଚୀ ଦମ୍ପତି ଓଡ଼ିଶାର ବିକାଶ ପାଇଁ ଯୋଗଦାନ ଦେଇ ଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶଙ୍କର କ୍ୟାନସର ଇନଷ୍ଟିଚ୍ୟୁଟ ସହାୟତାରେ ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଥିବା ଏହି ୧୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ପାଇଁ ରାଜ୍ୟ ସରକାର ସବୁପ୍ରକାରର ସହାୟତା ପ୍ରଦାନ କରିବେ, ଯେପରି ଏହା ୨୦୨୪ ଜାନୁଆରି ସୁଦ୍ଧା ଉଦଘାଟନ ହୋଇପାରିବ । ଏହି କ୍ୟାନସର ହସପିଟାଲ ଦ୍ବାରା ହଜାର ହଜାର ରୋଗୀ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ରାଜଧାନୀ ଭୁବନେଶ୍ୱରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ । ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ୨୦୨୪ ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ପ୍ରାଥମିକ ପର୍ଯ୍ୟାୟରେ ୨୫୦ ଶଯ୍ୟାରେ ରୋଗୀଙ୍କୁ ଚିକିତ୍ସା ସେବା ମିଳିବ । ପରେ ଏହା ୫ଶହ ଶଯ୍ୟାକୁ ସମ୍ପ୍ରସାରିତ ହେବ । ଏହି କ୍ୟାନସର ହସ୍ପିଟାଲ ପାଇଁ ସୁବ୍ରୋତ ବାଗଚୀ ଓ ସୁସ୍ମିତା ବାଗଚୀ ୨୧୦ କୋଟି ଟଙ୍କା ସହାୟତା କରିବେ । ସେହିପରି ଭୁବନେଶ୍ୱରରେ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ମଧ୍ୟ ପ୍ରତିଷ୍ଠା ହେବ । ପ୍ରଥମ କରି ରାଜ୍ୟରେ ପ୍ରତିଷ୍ଠା ହେଉଥିବା ଏହି ଅନୁଷ୍ଠାନ ପାଇଁ ବାଗଚୀ ଦମ୍ପତି ୧୩୦ କୋଟି ଦେବେ । ଏ ଦୁଇ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ପାଇଁ ସୁବ୍ରତୋ ବାଗଚୀ ଓ ସୁସ୍ମିତା ବାଗଚୀ ମୋଟ ୩ଶହ ୪୦ କୋଟି ଟଙ୍କା ଅନୁଦାନ ଦେବେ । ଏହି କ୍ୟାନସର ହସ୍ପିଟାଲ ନିର୍ମାଣ ହେବା ପରେ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ରୋଗୀ ଉପକୃତ ହେବେ ।

odisha government signed MoU  for Cancer Hospital and Palliative Care Centre in Bhubaneswar