ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠିର ସଂଶୋଧନ : କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ରୋଗରେ ପୀଡ଼ିତ ହେଲେ ଚିକିତ୍ସା ବାବଦକୁ ମିଳିବ ୨ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଓଡିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠି ୨୦୦୬ର ସଂଶୋଧନ କରିଛନ୍ତି ରାଜ୍ୟ ସରକାର । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ଦିଆଯିବ । କିଡନ ରୋଗ, ହୃଦ ରୋଗ, କ୍ୟାନସର କିମ୍ବା ଅନ୍ୟ ଜଟିଳ ରୋଗରେ ପୀଡ଼ିତ ହେଲେ ଚିକିତ୍ସା ବାବଦକୁ ୨ ଲକ୍ଷ ଟଙ୍କାର ବିମା ଯୋଗାଇ ଦେବେ ରାଜ୍ୟ ସରକାର ।

୨୫ ଲକ୍ଷ ଘର ନିର୍ମାଣ ଋଣ ନେଲେ ୩ ପ୍ରତିଶତ ସୁଧ ରିହାତିରେ ଯୋଗାଇ ଦିଆଯିବ ବୋଲି ସଂଶୋଧନ ହୋଇଛି । ଏଥିସହ ୫୦ ହଜାର ଟଙ୍କାର ବାଇକ କିଣିଲେ ୩ ପ୍ରତିଶତ ସୁଧ ରିହାତି ଦିଆଯିବ । ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର କିଣିଲେ ୩ ପ୍ରତିଶତ ସୁଧରେ ରିହାତି ମିଳିବ । ଦୁର୍ଘଟଣା ଓ ରୋଗରେ ଶରୀର କିଛି ଅଂଶ ଅକାମି ହେଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ ।

ଏଥିସହ ଆଇଆଇଏମ୍‌ସି ଭଳି ଅନୁଷ୍ଠାନରେ ସାମ୍ବାଦିକଙ୍କୁ ତାଲିମ ନିମନ୍ତେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସହୟତା ଯୋଗାଇବେ ସରକାର । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ସେମାନଙ୍କ ପିଲାଙ୍କ ମାଟ୍ରିକ ପାସ୍ ହେବା ପର୍ଯ୍ୟନ୍ତ ମାସକୁ ଦେଢ ହଜାର ଓ ଉଚ୍ଚ ଶିକ୍ଷା ପାଇଁ ମାସକୁ ଅଢେଇ ହଜାର ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

odisha government revised journalists welfare fund