ମନ୍ତ୍ରୀ ପରିଷଦର ଶେଷ ବୈଠକରେ ସମୀକ୍ଷା : କଥା ଦେଇ କଥା ରଖିବାରେ ସଫଳ ହୋଇଛୁ- ନବୀନ

ଭୁବନେଶ୍ୱର : ୨୦୧୪ ନିର୍ବାଚନ ଇସ୍ତାହାରରେ ସରକାର ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି ସଚିବାଳୟରେ ରାଜ୍ୟ ମନ୍ତ୍ରୀ ପରିଷଦର ଶେଷ ବୈଠକରେସମୀକ୍ଷା କରିଥିଲେ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଶାବାସୀ ତାଙ୍କ ପରିବାର। ନିଜ ପରିବାରକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବି। ନୂଆ ଓଡ଼ିଶା ଗଠନ ଦିଗରେ କାମ କରୁଛି। କଥା ଦେଇ କଥା ରଖିବାରେ ସଫଳ ହୋଇଛୁ। ଓଡ଼ିଶାର ସେବା କରି ଚାଲିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସାଧାରଣ ନିର୍ବାଚନ ପୂର୍ବରୁ ଇଏ ଥିଲା ରାଜ୍ୟ ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ। ସଜେଇ ହୋଇଥିଲା ପୂରା ସଚିବାଳୟ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ସଚିବ ଉପସ୍ଥିତ ଥିଲେ। ପାଞ୍ଚ ବର୍ଷ ଭିତରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସଫଳ କାର‌୍ୟ୍ୟ କ୍ରମକୁ ପ୍ରଦର୍ଶିତ କରାଯାଇଥିଲା।

୨୦୧୪ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକରେ ସମୀକ୍ଷା କରିଛନ୍ତି। ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ଅଧିକାଂଶ ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି ସେ କହିବା ସାଂଗେ ସାଂଗେ ନୂତନ ଭାବେ କାର‌୍ୟ୍ୟକାରୀ ହେଉଥିବା କୃଷକ କଲ୍ୟାଣକାରୀ ଯୋଜନା ‘କାଳିଆ’ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏ ପର‌୍ୟ୍ୟନ୍ତ ୩୨ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ସହାୟତା ସେମାନଙ୍କର ବ୍ୟାଙ୍କ୍‌ ଜମା ଖାତାକୁ ପଠାଇ ଦିଆଯାଇସାରିଲାଣି ବୋଲି ସେ କହିଛନ୍ତି।
ଏହା ଛଡ଼ା ଆଜି ଆଉ ୪ ଲକ୍ଷ ୮୦ ହଜାର ହିତାଧିକାରୀଙ୍କୁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଇଲେକ୍ଟ୍ରାନିକ୍‌ ଟ୍ରାନ୍ସଫର୍‌ ଜରିଆରେ ବଣ୍ଟନ କରିଥିଲେ। ଆସନ୍ତା ଏପ୍ରିଲ ପହିଲା ଦିନ କାଳିଆ ଯୋଜନାରେ ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରକାଶ କରାଯାଇଥିଲା।

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଠାରୁ ‘‘କାଳିଆ’’ଯୋଜନା ଅଧିକ କୃଷକ କଲ୍ୟାଣକାରୀ ବୋଲି କୃଷି ଓ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରକାଶ କରି କହିଥିଲେ ଯେ,ରାଜ୍ୟ ସରକାରଙ୍କର ଏହି ଯୋଜନାରେ ଭୂମିହୀନ କୃଷି ଶ୍ରମିକଙ୍କୁ ସାମିଲ୍‌ କରାଯାଇଛି। ଦେଶର ବହୁ କୃଷି ବିଶେଷଜ୍ଞ ଏବଂ ଅର୍ଥନୀତିଜ୍ଞ ଏହି ଯୋଜନାର ଭୁରିଭୁରି ପ୍ରଶଂସା କରିଛନ୍ତି ବୋଲି ସେ କହିଥିଲେ।
ରାଜ୍ୟର ୩୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ତାଲିକା ପ୍ରକାଶିତ ହୋଇସାରିଛି ବୋଲି ପ୍ରକାଶ କରି କୃଷିମନ୍ତ୍ରୀ କହିଲେ ଯେ, ମାର୍ଚ୍ଚ ୮ ତାରିଖ ମଧ୍ୟରେ ଆଉ ୨୦ ଲକ୍ଷ ହିତାଧିକାରୀଙ୍କ ନାମ ତାଲିକା ପ୍ରକାଶ କରାଯିବ ।
ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୪ରେ .ସେ କ୍ଷମତାକୁ ୪ର୍ଥ ଥର ପାଇଁ ଆସିବା ପରେ ପ୍ରଥମ ଦିନ ମନ୍ତ୍ରୀ ପରିଷଦର ବୈଠକ ଡ଼ାକି ପ୍ରତିଶ୍ରୁତି ପାଳନର ସମୀକ୍ଷା ସାଂଗକୁ ଏକ ସୂଚୀ ପ୍ରସ୍ତୁତ କରାଯାଇଥିଲା। ତା’ପରଠାରୁ ପ୍ରତ୍ୟେକ ବର୍ଷ ମନ୍ତ୍ରୀ ପରିଷଦର ବୈଠକ ଡ଼କାଯାଇ କେତେ ପ୍ରତିଶ୍ରୁତି ପୂରଣ ହେଲା ଓ କେତେ ବାକି ରହିଲା ତା’ର ସମୀକ୍ଷା କରାଯାଇଥାଏ ।

ଚତୁର୍ଥ ପାଳିର ଶେଷ ବର୍ଷର ଏହି ମନ୍ତ୍ରୀ ପରିଷଦ ବୈଠକର ସମୀକ୍ଷାରୁ ଜଣାଯାଇଛି ଯେ, ଅଧିକାଂଶ ପ୍ରତିଶ୍ରୁତି କାର‌୍ୟ୍ୟକାରୀ ହୋଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଆଶା ଓ ଅଙ୍ଗନଓ୍ଵାଡ଼ି କର୍ମୀଙ୍କଠାରୁ ଆରମ୍ଭ କରି କର୍ମଚାରୀ ଓ ମନ୍ତ୍ରୀବୃନ୍ଦଙ୍କୁ ଧନ୍ୟବାଦ ଜଣାଇଥିଲେ। ‘‘ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ନୂଆ ଓଡ଼ିଶା ଗଠନ ପାଇଁ କାର‌୍ୟ୍ୟ କରି ଚାଲିବି’’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ରାଜ୍ୟ ସଚିବାଳୟଠାରେ ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିକାର ବୈଠକରେ ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ ଏବଂ ଜନହିତକାରୀ କାର‌୍ୟ୍ୟକ୍ରମ-ମୁଖ୍ୟତଃ କୃଷି,ଶିଳ୍ପ,ଶିକ୍ଷା,ସ୍ୱାସ୍ଥ୍ୟ,ଜନସଚେତନ ଏବଂ ମହିଳା ସଶକ୍ତିକରଣ ସମ୍ବନ୍ଧିତ ଯୋଜନାର ସମୀକ୍ଷା କରାଯାଇଥିଲା।