ମ୍ୟାଲେରିଆ ଟାସ୍କଫୋର୍ସ ବୈଠକ :  ସମ୍ପୂର୍ଣ ବିଲୋପ ପାଇଁ କାର୍ଯ୍ୟକରିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର :  ରାଜ୍ୟରୁ ମ୍ୟାଲେରିଆର ମୂଳୋତ୍ପାଟନ ପାଇଁ ଦୁଇଟି ସବ୍କମିଟି ଗଠନ ହେବ । ଏହି କମିଟି ମ୍ୟାଲେରିଆ ବିଲୋପ ପାଇଁ ଖସଡା ପ୍ରସ୍ତୁତ କରିବା ସହିତ ମାନବ ସମ୍ବଳର ବିନିଯୋଗ ଉପରେ ଧ୍ୟାନ ଦେବ । ଏଥି ସହିତ ୨୦୨୦ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଏକ କୋଟି ୧୩ ଲକ୍ଷ ଔଷଧଧୀ ମଶାରୀ ଯୋଗାଇ ଦେବାପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ । ମ୍ୟାଲେରିଆ ନିରାକରଣ ଲାଗି ଆଜି ଏଠାରେ ବସିଥିବା ରାଜ୍ୟସ୍ତରୀୟ ଟାସ୍କଫୋର୍ସ ବୈଠକରେ ଏହା ସ୍ଥିର ହୋଇଛି ।

ଏଥି ସହିତ ଟାସ୍କଫୋର୍ସର ବୈଠକ ଏଣିକି ପ୍ରତିମାସରେ ନିୟମିତ ଭାବେ ବସିବା ପାଇଁ ନିଷ୍ପତି ନିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ବିଭାଗର ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, ଡିଏମ୍ଇଟି, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ସହିତ ମ୍ୟାଲେରିଆ ନୋ ମୋର, ଟାଟା ଟ୍ରଷ୍ଟ, ଏନ୍ଆଇଏମ୍ଆର ଓ ଆରଏମ୍ଆରସିର ଅଧିକାରୀମାନେ ଉପସ୍ଥିତ ଥିଲେ । ଡାକ୍ତର ମେହେର୍ଦ୍ଦା କହିଥିଲେ ଯେ ମ୍ୟାଲେରିଆର ସଫଳ ନିରାକରଣ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ଜାରି ରହିବା ଆବଶ୍ୟକ । କାରଣ ଏଥିରେ ହେଳା କଲେ ପୁଣିଥରେ ମ୍ୟାଲେରିଆ ଲେଉଟିବାର ସମ୍ଭାବନା ରହିଛି । ଅତୀତରେ ଏଭଳି ମଧ୍ୟ ଦେଖାଯାଇଛି ।

ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ ରାଜ୍ୟରେ ମ୍ୟାଲେରିଆ ହ୍ରାସ ପାଇଥିବାର ଧାରା ଯେଭଳି ବଜାୟ ରହିବ ସେଥି ।ଇଁ କାର୍ଯ୍ୟଖସଡା ପ୍ରସ୍ତୁତ କରାଯିବ । ଏଥିରେ ଟାଟା ଟ୍ରଷ୍ଟ, ମ୍ୟାଲେରିଆ ନୋ ମୋର ଭଳି ସଂସ୍ଥାମାନେ ବୈଷୟିକ ସହାୟତା ଯୋଗାଇ ଦେବେ । ଯେଉଁଠାରେ ମ୍ୟାଲେରିଆ ସର୍ବାଧିକ ପରିମାଣରେ ହ୍ରାସ ପାଇଛି ସେଠାରେ ତାହାକୁ ଶୂନକୁ ହ୍ରାସ କରିବା ଓ ଅନ୍ୟ ସ୍ଥାନ ଗୁଡିକରେ ଏହା ଯେଭଳି ଅଧିକ ପରିମାଣରେ ହ୍ରାସ ପାଇବ ତାହା ଉପରେ ଅଧିକ ଧ୍ୟାନ ଦିଆଯିବ । ୨୦୨୭ ସୁଦ୍ଧା ରାଜ୍ୟରୁ ମ୍ୟାଲେରିଆର ବିଲୋପ ପାଇଁ ଲକ୍ଷ୍ୟ ନେଇ କାମ କରିବାକୁ କମିଶନର ଡାକ୍ତର ମେହେର୍ଦ୍ଦା ପରାମର୍ଶ ଦେଇଛନ୍ତି । କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏଥି ।ଇଁ ୨୦୩୦ ମସିହାକୁ ସମୟ ଧାର୍ଯ୍ୟ ହୋଇଥିବାବେଳେ ୨୦୨୭ରୁ ସେମାନେ ତିନି ବର୍ଷ ପାଇଁ ସ୍ଥିତି ଅନୁଧ୍ୟାନ କରି ସାର୍ଟିଫିକେଟ ପ୍ରଦାନ କରିବେ ।

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଆଉ କୋଟିଏ ୧୩ ଲକ୍ଷ ମଶାରୀ ଯୋଗାଇବାପାଇଁ ପତ୍ର ଲେଖବାକୁ ସ୍ଥିର ହୋଇଛି । ଉଲ୍ଲେଖନୀୟ ଯେ ୨୦୧୬ ମସିହାରେ ଅନୁରୂ ପରିମାଣର ଔଷଧିୟ ମଶାରୀ ବଂଟନ ପରେ ରାଜ୍ୟରୁ ମ୍ୟାଲେରିଆ ରେକର୍ଡ ପରିମାଣରେ ହ୍ରାସ ପାଇଛି । ଏହି ମଶାରୀର ସମୟ ଅବଧି ୩ବର୍ଷ ରହିଛି । କେନ୍ଦ୍ରରୁ ମଶାରୀ ମିଳିବାରେ ବିଳମ୍ବ ହେଲେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ମଶାରୀ କିଣି ତାହାକୁ ଔଷଧିୟ ପାଣିରେ ବୁଡାଇ ଲୋକଙ୍କୁ ଦେବାପାଇଁ ମତପ୍ରକାଶ ପାଇଛି । ଏପରିକି ଯେଉଁମାନଙ୍କ ନିକଟରେ ମଶାରୀ ରହିଛି ପ୍ରତି ୬ମାସରେ ଥରେ ସେଥିରେ ଔଷଧ ବୋଳିବାପାଇଁ ମଧ୍ୟ ସ୍ଥିର ହୋଇଛି । ମ୍ୟାଲେରିଆ ନିରାକରଣ କାର୍ଯ୍ୟକୁ ଅଧିକ ବ୍ୟାପକ କରିବାଲାଗି ମାନବ ସମ୍ବଳ ଆବଶ୍ୟକ ପଡୁଥିବାରୁ ବିଭାଗରେ ଥିବା ନିୟମିତ କର୍ମଚାରୀଙ୍କୁ ଏଥିରେ ନିୟୋଜିତ ଲାଗି ମତପ୍ରକାଶ ପାଇଛି । ଏଥି ।ଇଁ ଗୋଟିଏ ସବ୍ କମିଟି ଗଠନ କରାଯିବ ।

ଉଲ୍ଲେଖନୀୟ ଯେ ଓଡିଶାରେ ରେକର୍ଡ ପରିମାଣର ୯୦ ପ୍ରତିଶତ ମ୍ୟାଲେରିଆ ହ୍ରାସ ପାଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରାଯିବା ସହିତ ବିଶ୍ୱ ମ୍ୟାଲେରିଆ ରିପୋର୍ଟ-୨୦୧୮ ରେ ଓଡିଶାର ସଫଳ ମ୍ୟାଲେରିଆ ନିରାକରଣ ଯୋଜନା ସ୍ଥାନ ପାଇଛି । ଏପରିକି ଓଡିଶା ମଡେଲ ଆପଣେଇବାପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନପକ୍ଷରୁ ଆଫ୍ରିକ୍ରୀୟ ରଷ୍ଟ୍ର ଗୁଡିକୁ ପରାମର୍ଶ ଦିଆଯାଇଛି । ଓଡିଶାର ଏଭଳି ସଫଳତା ଲାଗି ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସଚିବ ପ୍ରୀତି ସୁଦାନ ପତ୍ର ଲେଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଡାକ୍ତର ମେହେର୍ଦ୍ଦାଙ୍କୁ ଧନ୍ୟବାଦ ଜଣାଯାଇଥିଲେ ।