ଆଉ ୯ ଦୁର୍ନୀତି ଓ ଅପରାଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ବର୍ଷକ ମଧ୍ୟରେ ୧୧୩ ଜଣଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର  : ରାଜ୍ୟରେ ଜାରି ରହିଛି ବାଧ୍ୟତାମୂଳକ ଅବସର । ଦୁର୍ନୀତି ଓ ଅପରାଗତା ହଟାଇବା ସଂକଳ୍ପରେ ଥିବା ରାଜ୍ୟ ସରକାର ଶୁକ୍ରବାର ପୁଣି ୯ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବର୍ଷକ ମଧ୍ୟରେ ୧୧୩ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇ ରାଜ୍ୟ ସରକାର ନିଜର ସ୍ୱଛତାକୁ ପ୍ରତିପାଦନ କରୁଛନ୍ତି। ଦୁର୍ନୀତି ଓ ଅପାରଗଙ୍କ ଉପରେ ପଡୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚୋଟ । କାମରେ ଅବହେଲା କି ଦୁର୍ନୀତି କଲେ ସିଧା ଚାକିରୀରୁ ବିଦା ହେଉଛନ୍ତି । ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର ଏମିତି କଠୋର ଆଭିମୁଖ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଶୁକ୍ରବାର ରାଜ୍ୟ ସରକାର ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କ ସମେତ ଜଙ୍ଗଲ, ଜନସ୍ୱାସ୍ଥ୍ୟ, ଶ୍ରମ ବିଭାଗର ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଥିବାବେଳେ, ୨ ଜଣଙ୍କୁ ଅପାରଗତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଖଣି ବିଭାଗର ୨ ଜଣ ଅଧିକାରୀ ତଥା ବଲାଙ୍ଗୀର ମୂରିବାହଲ ଫରେଷ୍ଟ ରେଞ୍ଜ ଅଫିସର ଏବଂ ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅନ୍ୟ ୫ ଜଣଙ୍କୁ କିଛି ଦିନ ତଳେ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଖଣି ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ମଦନ ମୋହନ ବିଶ୍ୱାଳ । ଶ୍ରୀ ବିଶ୍ୱାଳଙ୍କ ବିରୁଦ୍ଧରେ ୯ଟି ଭିଜିଲାନ୍‌ସ କେସ୍ ରହିଛି । ତାଙ୍କର ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଥିଲା । ସେହିପରି ସରକାରୀ କାର୍ଯ୍ୟରେ ତାଙ୍କର ଆନ୍ତରିକତା ଅଭାବ ରହିଥିଲା ଏବଂ ଜଣେ ସରକାରୀ ଅଧିକାରୀ ଭାବରେ ଆବଶ୍ୟକ ସୌଜନ୍ୟ ମଧ୍ୟ ସେ ରକ୍ଷା କରୁ ନଥିଲେ । ଶ୍ରୀ ରମେଶ ଚନ୍ଦ୍ର ମହାଲିକ, ଖଣି ଅଧିକାରୀ ଗ୍ରୁପ-କ ପାହ୍ୟାର ଅଧିକାରୀ ଶ୍ରୀ ମହାଲିକଙ୍କ ବିରୁଦ୍ଧରେ ୪ଟି ଭିଜିଲାନ୍‌ସ କେସ୍ ଥିବାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହଜନକ ଥିଲା । ଜଣେ ସରକାରୀ ଅଧିକାରୀ ଭାବରେ ଆବଶ୍ୟକ ଆନ୍ତରିକତା ଓ ସୌଜନ୍ୟର ଅଭାବ ତାଙ୍କ ଠାରେ ଥିଲା । ବଲାଙ୍ଗୀର ମୂରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ଶ୍ରୀ ପ୍ରଶାନ୍ତ କୁମାର ନାୟକ ୧ କୋଟି ୪୦ ଲକ୍ଷ ଟଙ୍କାର ଆୟବହିର୍ଭୁତ ସଂପତ୍ତି ସହିତ ବଲାଙ୍ଗୀର ଜିଲ୍ଲାରେ ତାଙ୍କର ୧୦ଟି ପ୍ଲଟ ଓ ୨ଟି କୋଠା ମଧ୍ୟ ଠାବ କରାଯାଇଥିଲା । ସେଥିପାଇଁ ତାଙ୍କ ନାମରେ ଭିଜିଲାନ୍‌ସ ମାମଲା ରହିଛି । ସେହିପରି ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର ଶ୍ରୀ ନାରାୟଣ ପ୍ରଧାନଙ୍କ ବିରୁଦ୍ଧରେ ଭିଜିଲାନ୍‌ସ ମାମଲା ରହିଛି । ତାଙ୍କର ଆୟ ବହିର୍ଭୂତ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ସହିତ ଦେଓଗଡ ଜିଲ୍ଲାରେ ୪ଟି କୋଠା, ସମ୍ବଲପୁର, ଦେଓଗଡ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ୩୧ଟି ଜମି ମଧ୍ୟ ରହିଛି ।
ଜଂଗଲ ବିଭାଗର ସହକାରୀ ବନ ସଂରକ୍ଷକ ଶ୍ରୀ ଲକ୍ଷ୍ଣଣ କୁମାର ପ୍ରଧାନଙ୍କ ବିରୁଦ୍ଧରେ ୨ଟି ଭିଜିଲାନ୍‌ସ କେସ ରହିଛି । ଶ୍ରୀ ଭରତ କୁମାର ଘଡେଇ ଜଙ୍ଗଲ ବିଭାଗର ରେଞ୍ଜ ଅଫିସରଙ୍କ ବିରୁଦ୍ଧରେ ୩ଟି ଭିଜିଲାନ୍‌ସ କେସ୍ ରହିଛି । ଶ୍ରୀ ପ୍ରଦୀପ କୁମାର ଭୋଇ, ରାୟଗଡା ଜିଲ୍ଲା ଶ୍ରମ ଅଧିକାରୀଙ୍କ ବିରୁଦ୍ଧରେ ଗୋଟିଏ ଭିଜିଲାନ୍‌ସ କେସ ରହିଛି । ଏମାନଙ୍କୁ ସମସ୍ତଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଭୁବନେଶ୍ୱରର ଯୁଗ୍ମ ଶ୍ରମ କମିଶନର ଶ୍ରୀ ଶରତ କୁମାର ଚୌଧୁରୀ ଏବଂ ଗଜପତି ଜିଲ୍ଲାର ଡିଭିଜିନାଲ ଶ୍ରମ କମିଶନର ଶ୍ରୀମତୀ ନମିତା ଦାସଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଶୁକ୍ରବାର ଅବସର ଦିଆଯାଇଥିବା ୯ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୧୩ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

odisha government gives compulsory retirement to seven corrupted officer