କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ରାଜ୍ୟ ସରକାର ପ୍ରଦାନ କଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର : କରୋନା ଆକ୍ରାନ୍ତ ହେବା ଯୋଗୁଁ ବୈଦ୍ୟୁତିକ ଗଣମାଧ୍ୟମ ନ୍ୟୁଜ୍-୧୮ର ଭୁବନେଶ୍ଵର ପ୍ରତିନିଧି ପ୍ରବୀର କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଏବେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସ୍ଵର୍ଗତ ପ୍ରବୀର ପ୍ରଧାନଙ୍କ ପତ୍ନୀଙ୍କୁ ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ସନତ କୁମାର ମହାନ୍ତି ମଙ୍ଗଳବାର ୧୫ ଲକ୍ଷ ଟଙ୍କାର ଚେକ୍‌ ପ୍ରବୀରଙ୍କ ପତ୍ନୀ ସସ୍ମିତା ସ୍ଵାଇଁଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି।

ଗତ ନଭେମ୍ବର ୫ ତାରିଖରେ ବରିଷ୍ଠ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା। ଘରେ ତାଙ୍କର ବିଧବା ପତ୍ନୀ ଓ ୨ବର୍ଷର ଏକ ଝିଅ ଅଛି। ଅତୀତରେ ତାଙ୍କ ବାପା ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ। ସୂଚନାନୁଯାୟୀ, ଅକ୍ଟୋବର ୩୧ ତାରିଖରେ ପ୍ରବୀର ଅସୁସ୍ଥ ଅନୁଭବ କରିବାରୁ ନିଜର କରୋନା ପରୀକ୍ଷା କରାଇଥିଲେ।ରିପୋର୍ଟ ପଜିଟିଭ ଆସିବାରୁ ସେ ଗୃହ ସଙ୍ଗରୋଧରେ ରହିଥିଲେ। କିନ୍ତୁ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେବାରୁ ତାଙ୍କୁ ଏକ ଘରୋଇ କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ନଭେମ୍ବର ୪ ତାରିଖରେ ନିଶ୍ବାସ ନେବାରେ ତାଙ୍କର ସମସ୍ୟା ହୋଇଥିଲା। ଏଣୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଉ ନଭେମ୍ବର ୫ ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

odisha government give rs 15 lkhs to late journalist prabir pradhan family