ଦୂତୀଙ୍କୁ ଦେଢ଼ କୋଟି ଟଙ୍କା ପୁରସ୍କାର

ଭୁବନେଶ୍ୱର: ଇଣ୍ଡୋନେସିଆରେ ଚାଲିଥିବା ୧୮ତମ ଏସିଆନ ଗେମ୍ସର ମହିଳା ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ଓଡ଼ିଶା ସରକାର ଦେଢ଼ କୋଟି ଟଙ୍କା ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ପୁରସ୍କାର ଅନ୍ୟ ଓଡ଼ିଆ କ୍ରୀଡ଼ାବିତ୍ଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଦୂତୀ ଏହା ପୂର୍ବରୁ ଭୁବନେଶ୍ୱରରେ ଅନୁଷ୍ଠିତ ଏସିଆନ ଆଥଲେଟିକ ଚାମ୍ପିଅନଶିପରେ ୨ଟି ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ । ଓଡ଼ିଶା ସରକାରଙ୍କ କ୍ରୀଡ଼ାବିତ୍ଙ୍କ ଲାଗି ଥିବା ପ୍ରୋତ୍ସାହନ ନିୟମ ଅନୁଯାୟୀ ଜଣେ ସ୍ୱର୍ଣ୍ଣ ବିଜେତାଙ୍କୁ ଏକ କୋଟି ଟଙ୍କା ପୁରସ୍କାର ଦିଆଯିବାକୁ ବ୍ୟବସ୍ଥା ରହିଛି । ଓଡ଼ିଶା ଆଥ୍ଲେଟିକ ଏବଂ ଓଡ଼ିଶା ଅଲିମ୍ପିକ ଆସୋସିଏସନ ପକ୍ଷରୁ ୫୦ ହଜାର ଲେଖାଏଁ ପୁରସ୍କାର ଦିଆଯିବାକୁ ମଧ୍ୟ ଘୋଷଣା କରାଯାଇଛି ।