ତିତିଲି ପ୍ୟାକେଜ : ଖଜଣା,ଜଳକର ଓ ସ୍କୁଲ ଫି ଛାଡ଼

ଭୁବନେଶ୍ୱର :  ରାଜ୍ୟ ସରକାର ତିତ୍ଲି ପ୍ରଭାବିତ ଚାଷୀଙ୍କ ପାଇଁ ବୁଧବାର ସହାୟତା ରାଶି ଘୋଷଣା କରିଛନ୍ତି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ୟାକେଜ୍ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି । ଗଞ୍ଜାମ, ଗଜପତି ଓ ରାୟଗଡ଼ାର କ୍ଷତିଗ୍ରସ୍ତ ଚାଷୀମାନେ ଏହି ସହାୟତା ରାଶି ପାଇବେ । ସରକାର ୩୭ଟି କ୍ଷେତ୍ରରେ ପ୍ରଭାବିତ ଚାଷୀଙ୍କୁ ସହାୟତା ଦେବେ ।

ଜଳସେଚନ, କୃଷି, ମତ୍ସ୍ୟ ଓ ପଶୁପାଳନରେ ସହାୟତା ମିଳିବ । କ୍ଷୁଦ୍ର ଓ ନାମମାତ୍ର ଚାଷୀ କୃଷି ସବ୍ସିଡି ପାଇବେ । ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଇନପୁଟ୍ ସବ୍ସିଡି ମିଳିବ । ୨୦୧୮ ଖରିଫର ସ୍ୱଳ୍ପ ମିଆଦୀ ଋଣକୁ ମଧ୍ୟମ ମିଆଦୀରେ ପରିବର୍ତ୍ତନ କରାଯିବ । ଚଳିତ ବର୍ଷ ଫସଲ ଋଣ ଶୁଝିବା ଅବଧିକୁ ୨୦୧୯ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଖଜଣା ଓ ଜଳ କର ସମ୍ପୂର୍ଣ୍ଣ ଛାଡ଼ ହେବ । ଏଥିସହିତ ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସମସ୍ତ ଦେୟ ଓ ପରୀକ୍ଷା ଫି’ ଛାଡ଼ ସହ ପ୍ରାଥମିକ ସ୍କୁଲର ପିଲାମାନଙ୍କୁ ମାଗଣାରେ ଅତିରିକ୍ତ ଦୁଇ ହଳ ୟୁନିଫର୍ମ ଓ ପାଠ୍ୟପୁସ୍ତକ ପ୍ରଦାନ କରାଯିବ । ବୈଠକ ପରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, ରବି ଫସଲ କରୁଥିବା ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇ ଦିଆଯିବ । ଅଚଳ ଜଳସେଚନ ପ୍ରକଳ୍ପକୁ ସଚଳ କରାଯିବ । କ୍ଷତିଗ୍ରସ୍ତ ଜଳସେଚିତ ଜମିର ହେକ୍ଟର୍ ପିଛା ୧୩ ହଜାର ୫୦୦ ଟଙ୍କା, ଅଣ ଜଳସେଚିତ ଜମିକୁ ହେକ୍ଟର୍ ପିଛା ୬୮୦୦ ଟଙ୍କା, ସବୁଦିନିଆ ଫସଲ କ୍ଷେତ୍ରରେ ହେକ୍ଟର ପିଛା ୧୮ହଜାର ଟଙ୍କା ମିଳିବ । ଏହି ରିହାତି ସବୁଦିନିଆ ଫସଲ କ୍ଷେତ୍ରରେ କୌଣସି ଚାଷୀଙ୍କ ପାଇଁ ୨୦୦୦ ଟଙ୍କାରୁ କମ୍ ହେବନାହିଁ । ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ଏହା ୧୦୦୦ ଟଙ୍କାରୁ କମ୍ ହେବନାହିଁ ।

୨୦୧୮-୧୯ ରବି ଫସଲ ପାଇଁ ତିତ୍ଲି ପ୍ରଭାବିତ ଅଞ୍ଚଳ ଚାଷୀମାନଙ୍କୁ ୧ ଲକ୍ଷ ୨୦ ହଜାର ଡାଲି ଜାତୀୟ ଶସ୍ୟବୀଜ, ୩୦ ହଜାର ତୈଳବୀଜ ମିନି କିଟ୍ ଏବଂ ୫୦ ହଜାର ପନିପରିବା ମଞ୍ଜିର କିଟ୍କୁ ମିଶାଇ ସମୁଦାୟ ୨ ଲକ୍ଷ କିଟ୍ ଯୋଗାଇ ଦିଆଯିବ । ରବି ଋତୁ ପାଇଁ ତିତ୍ଲି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୨୦ ହଜାର ହେକ୍ଟର ଚାଷ ଜମିରେ ବିଭିନ୍ନ କୃଷି ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯିବ । କାଜୁ, ଆମ୍ବ, ନଡ଼ିଆ, କିଆ, ରେଶମ ଆଦି ଚାଷ କ୍ଷେତ୍ରରେ ନଷ୍ଟ ହୋଇଥିବା ୨୦ ହଜାର ହେକ୍ଟର ଜମିକୁ ପୁନରୁଦ୍ଧାର କରାଯିବ । କ୍ଷତିଗ୍ରସ୍ତ ହୋଇଥିବା ୨୦୦୦ ହେକ୍ଟର୍ ଆଖୁ ଫସଲକୁ ସ୍ୱତନ୍ତ୍ର ସହାୟତା ଦିଆଯିବ । ଆମ୍ବ, କଦଳୀ, କାଜୁ ପାଇଁ ୩ ବର୍ଷ ପର୍ଯ୍ୟନ୍ତ ସହାୟତା ମିଳିବ । ସେହିପରି ଆଖୁଚାଷ ପାଇଁ ହେକ୍ଟର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ମିଳିବ । କନ୍ଦ ଓ ଆଳୁ ପାଇଁ ୟୁନିଟ୍ ପିଛା ୭ ହଜାର ଓ ଛତୁ ପାଇଁ ୟୁନିଟ୍ ପିଛା ୧୦ ହଜାର ଟଙ୍କା ମିଳିବ । ୫୦ ପ୍ରତିଶତ ରିହାତିରେ ୧୦୦୦ ପମ୍ପସେଟ୍ ଯୋଗାଇ ଦିଆଯିବ । ଏହା ସର୍ବାଧିକ ୧୫ ହଜାର ଟଙ୍କା ହେବ । ସୌର ଜଳନିଧି ଯୋଜନାରେ ୯୦ ପ୍ରତିଶତ ରିହାତିରେ ୧୦୦୦ ସୌର ପମ୍ପସେଟ୍ ଦିଆଯିବ । ୫୦ ପ୍ରତିଶତ ରିହାତିରେ ୫୦୦୦ ସ୍ପ୍ରେୟର୍ ଯୋଗାଇ ଦିଆଯିବ ।
ଗୃହପାଳିତ ପଶୁ ମୃତ୍ୟୁ କ୍ଷେତ୍ରରେ ଗାଈ ଓ ମଇଁଷି ପାଇଁ ସର୍ବାଧିକ ୩ଟ୩୦ ହଜାର ଟଙ୍କା, ବଳଦ କ୍ଷେତ୍ରରେ ୨୫ ହଜାର ଟଙ୍କା, ବାଛୁରୀ ପିଛା ୧୬ ହଜାର ଟଙ୍କା, ଛେଳି ପିଛା ୩ ହଜାର ଟଙ୍କା, କୁକୁଡ଼ା ପିଛା ୫୦ ଟଙ୍କା ପ୍ରଦାନ କରାଯିବ । ଗୋରୁ ଗୁହାଳ ପୁନରୁଦ୍ଧାର ପାଇଁ ୧୦ ହଜାର ଚାଷୀଙ୍କୁ ଜଣ ପିଛା ୧.୧୩ ଲକ୍ଷ ଟଙ୍କା ଦିଆଯିବ । ଛେଳି ଗୁହାଳ ପୁନରୁଦ୍ଧାର ପାଇଁ ୧୦ ହଜାର ଚାଷୀଙ୍କୁ ଗୁହାଳ ପିଛା ୪୪ ହଜାର ଟଙ୍କା ଓ କୁକୁଡ଼ା ପାଳନ ଜରିଆରେ ୨୦ ହଜାର ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ । ମାଛ ଚାଷରେ କ୍ଷତି ସହିଥିବା ଚାଷୀମାନଙ୍କୁ ୭୫ ପ୍ରତିଶତ

ରିହାତିରେ ହେକ୍ଟର ପିଛା ୧.୧୨୫ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ । ଡଙ୍ଗା ପିଛା ୨୨,୫୦୦ ଓ ଜାଲ ପିଛା ୧୫,୦୦୦ ଟଙ୍କା ସହାୟତା ଦିଆଯିବ । ସାମୁଦ୍ରିକ ଅଞ୍ଚଳ ଓ ଚିଲିକାର ମତ୍ସ୍ୟଜୀବୀମାନଙ୍କ ପାଇଁ ଡଙ୍ଗା ପିଛା ୬୦,୦୦୦ ଓ ଜାଲ ପିଛା ୧୫,୦୦୦ ଟଙ୍କା ସହାୟତା ଦିଆଯିବ । ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ କାରିଗରମାନଙ୍କୁ ନୂଆ ଯନ୍ତ୍ରପାତି ପାଇଁ ବ୍ୟକ୍ତି ପିଛା ୪୧୦୦ ଟଙ୍କା ଏବଂ କଞ୍ଚାମାଲ ପାଇଁ ବ୍ୟକ୍ତି ପିଛା ୪୧୦୦ ଟଙ୍କା ଦିଆଯିବ । ରେଶମ ଚାଷୀମାନଙ୍କୁ ହେକ୍ଟର ପିଛା ୪୮୦୦ ଟଙ୍କା ଇନ୍ପୁଟ ସବ୍ସିଡି ଦିଆଯିବ ।

ରେଶମ ଚାଷରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ରିଅରିଂ ହାଉସ ପୁନରୁଦ୍ଧାର ପାଇଁ ୧.୭୫ ଲକ୍ଷ ଟଙ୍କା ଓ ଆଂଶିକ କ୍ଷତିଗ୍ରସ୍ତ ରିଅରିଂ ହାଉସ ପାଇଁ ୫୭ ହଜାର ଟଙ୍କା ଦିଆଯିବ । ସମୁଦାୟ ୧୨୫ ରେଶମ ଚାଷୀଙ୍କୁ ସହାୟତା ଦିଆଯିବ । କ୍ଷତିଗ୍ରସ୍ତ ଅଞ୍ଚଳରେ ସରକାରଙ୍କ ସହାୟତା ବୃଦ୍ଧି ପାଇଁ ପ୍ରାୟ ୩୦ ହଜାର ଚାଷୀ ଥିବା ୨୦୦ ପ୍ରଡ୍ୟୁସର ଗ୍ରୁପକୁ ପ୍ରୋତ୍ସାହନ ଦିଆଯିବ । ପ୍ରତ୍ୟେକ ପ୍ରଡ୍ୟୁସର ଗ୍ରୁପକୁ ୩ ଲକ୍ଷ ଟଙ୍କା ଲେଖାଏ ଦିଆଯିବ । ଚାଷ କାର୍ଯ୍ୟରେ ଲିପ୍ତ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅତିରିକ୍ତ ୫ ହଜାର ଟଙ୍କା ଲେଖାଏ ସିଡ୍ ମନି ଦିଆଯିବ । ୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତି କ୍ଷେତ୍ରରେ ଚାଷୀମାନଙ୍କୁ ଭୂ ରାଜସ୍ୱ ବାବଦ ସେସ୍ ଏବଂ ଜଳକର ସମ୍ପୂର୍ଣ୍ଣ ଛାଡ଼ କରାଯିବ । ବୈଠକରେ ଉନ୍ନୟନ କମିଶନର୍ ଆର୍ ବାଲକ୍ରିଷ୍ଣନ୍, ଏସ୍ଆର୍ସି ବିଷ୍ଣୁପଦ ସେଠୀ, ଶକ୍ତି ସଚିବ ହେମନ୍ତ ଶର୍ମା, କୃଷି ସଚିବ ସୌରଭ ଗର୍ଗ, ବିପର୍ଯୟ ଓ ପ୍ରଶମନ ସଚିବ ଡ. ଚନ୍ଦ୍ରଶେଖର କୁମାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।