କିନ୍ନରଙ୍କୁ ସୁରକ୍ଷା ପାଇଁ ଗଠନ ହେବ ‘ଟ୍ରାନ୍‌ସଜେଣ୍ଡର ପ୍ରୋଟେକ୍ସନ ସେଲ୍‌’

ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ ‘ଟ୍ରାନ୍‌ସଜେଣ୍ଡର ପ୍ରୋଟେକ୍ସନ ସେଲ୍‌’

ଭୁବନେଶ୍ୱର: ତୃତୀୟ ଲିଙ୍ଗ(କିନ୍ନର)ଙ୍କ ପ୍ରତି ଶାରୀରିକ ଓ ମାନସିକ ନିର୍ଯାତନା ରୋକିବା ,କିନ୍ନରଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ଖୁବ୍ ଶୀଘ୍ର ଗଠନ ହେବ ଟ୍ରାନ୍‌ସଜେଣ୍ଡର ପ୍ରୋଟେକ୍ସନ ସେଲ୍‌ । ଏହି ସେଲ୍‌ର ଅଧ୍ୟକ୍ଷ ରହିବେ ପୋଲିସ ମହାନିର୍ଦ୍ଦେଶକ । କେବଳ ନ୍ୟାୟ ପ୍ରଦାନ ନୁହେଁ, ଟ୍ରାନ୍‌ସଜେଣ୍ଡର ସମୁଦାୟଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏହି ସେଲ୍ କାର୍ଯ୍ୟ କରିବ ।  ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏହା କାର୍ଯ୍ୟକ୍ଷମ ହେବ । କିନ୍ନରଙ୍କ ଦ୍ୱାରା ଦାଏର ହୋଇ ପଡ଼ିଥିବା ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ କରି ନ୍ୟାୟ ପ୍ରଦାନ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ କଟକ ଏବଂ ଭୁବନେଶ୍ୱରରେ ସେଲ୍ ଗଠନ ପାଇଁ ପ୍ରସ୍ତାବ ରହିଛି ।
ଗତ ସପ୍ତାହରେ ଏନେଇ ରାଜ୍ୟ ଭିନ୍ନକ୍ଷମ ସାମାଜିକ ନିରାପତ୍ତା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ପୋଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବିଭାଗୀୟ ସଚିବ ରାଜ୍ୟରେ ଟ୍ରାନ୍‌ସଜେଣ୍ଡର ପ୍ରୋଟେକ୍ସନ୍ ସେଲ୍ ଖୋଲିବାକୁ ଡିଜିପିଙ୍କ ଅଫିସକୁ ଚିଠି ଲେଖିଥିଲେ । ଟ୍ରାନ୍‌ସଜେଣ୍ଡର ପର୍ସନ ଆକ୍ଟ ୨୦୧୯ ଅନୁସାରେ ତୃତୀୟ ଲିଙ୍ଗଙ୍କୁ ନିଯୁକ୍ତି, ଶିକ୍ଷା, ସାମାଜିକ ସୁରକ୍ଷା, ହାଉସିଂ, ସ୍ୱାସ୍ଥ୍ୟକ୍ଷେତ୍ରରେ ଅଣଦେଖା ପରିବର୍ତ୍ତେ ସମ୍ମାନ ଓ ସୁଯୋଗ ଦେବାକୁ ଗୁରୁତ୍ୱ ଦିଆଯାଇଛି ।

odisha government decide to open transgender protection cell