ବର୍ଷର ଶେଷ କ୍ୟାବିନେଟ୍ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ

ନିର୍ବାଚିତ ଲୋକ ପ୍ରତିନିଧି ଏବଂ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ପ୍ରଦାନ ବାଧ୍ୟତାମୂଳକ ହେବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବର୍ଷ ଶେଷର ଅନ୍ତିମ କ୍ୟାବିନେଟ୍ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଓଡ଼ିଶା ଆୟୁର୍ବେଦିକ ଔଷଧ ପ୍ରବର୍ତ୍ତନ ସେବା ନିୟମ-୨୦୨୦କୁ ଅନୁମୋଦନ କରାଯାଇଛି । ଏହାଦ୍ୱାରା ଓଡ଼ିଶା ଆୟୁର୍ବେଦ ଔଷଧ ପ୍ରବର୍ତ୍ତନ ସେବା କ୍ୟାଡରରେ ବିଭିନ୍ନ ପଦବୀରେ ନିଯୁକ୍ତି ଓ ସେମାନଙ୍କର ନିୟନ୍ତ୍ରଣ ବ୍ୟବସ୍ଥା ସୂଚାରୁରୂପେ କରାଯାଇ ପାରିବ ।

ଓଡ଼ିଶା କାରଖାନା ଓ ବାଷ୍ପିତ୍ର (ଫ୍ୟାକ୍ଟ୍ରି ଆଣ୍ଡ ବ୍ରୟଲର୍) ନୀରିକ୍ଷଣ ସେବା ନିୟମ-୧୯୮୪ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏହାଦ୍ୱାରା ବିଭାଗର ସହକାରୀ ନିର୍ଦ୍ଦେଶକ ପାହ୍ୟାକୁ ଗ୍ରୁପ୍ ‘ଏ’ରୁ ଗ୍ରୁପ ‘ବି’କୁ ପଦୋନ୍ନତି ହେବ । ଏବଂ ଏହି ପଦବୀ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପୂରଣ କରାଯିବ ।

ଓଡ଼ିଶା ବହୁମୂଖୀ ସ୍ୱାସ୍ଥ୍ୟକର୍ମୀ (ମହିଳା/ପୁରୁଷ) ସେବା ସଂଶୋଧନ ନିୟମ ୨୦୨୦କୁ ସ୍ୱୀକୃତି ମିଳିଛି । ଏହାଦ୍ୱାରା ଏଣିକି ଠିକାରେ ନିଯୁକ୍ତି ହେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ ହେବାର ସୁଯୋଗ ମିଳିବ ।

ନିର୍ବାଚିତ ଲୋକ ପ୍ରତିନିଧି ଏବଂ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ପ୍ରଦାନ ବାଧ୍ୟତାମୂଳକ ହେବ । ଏଥିପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏ ସମସ୍ତେ ପ୍ରତିବର୍ଷ ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରିବେ । ସେହିଭଳି ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ପ୍ରବେଶ ସ୍ତରଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ସମ୍ପତ୍ତି ତାଲିକା ଦେବେ । ତାହାକୁ ପବ୍ଲିକ ଡୋମେନରେ ରଖାଯିବା ନେଇ କ୍ୟାବିନେଟରେ ଅନୁମୋଦନ ମିଳିଛି ।

ସେହିଭଳି ରାଜ୍ୟ ସରକାର ପୂର୍ବ ପ୍ରତିଶ୍ରୁତି ରକ୍ଷା କରି ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆସନ ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଏହାଦ୍ୱାରା ଜେଇଇ ଓ ନିଟ୍ (NEET) ଭଳି ଏକକ ପରୀକ୍ଷା ପ୍ରବର୍ତ୍ତନ ପରେ ଓଡ଼ିଶାର ସରକାରୀ ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଡାକ୍ତରୀ ଓ ଇଞ୍ଜିନିୟରିଂ ନାମଲେଖାରେ କମୁଥିଲା । ଆଗାମୀ ଶିକ୍ଷାବର୍ଷଠାରୁ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ଏକ ସଂକଳ୍ପ ପାରିତ କରିଛନ୍ତି । ଏହି ସଂକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିବା ପରେ ଚୂଡ଼ାନ୍ତ ରୂପ ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ତିନି ମାସ ମଧ୍ୟରେ କମିଟିର ରିପୋର୍ଟ ଆସିବ । ଯାହାକୁ ସରକାର ଆସନ୍ତା ଶିକ୍ଷା ବର୍ଷଠାରୁ ଲାଗୁ କରିବେ । ଓଡ଼ିଶାର ଏହି ନିଷ୍ପତ୍ତି ସରକାରୀ ସ୍କୁଲରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବ ।

Odisha government cabinet approves 12 proposal in yer end