ଭୁବନେଶ୍ୱରର ୫ ହାଇସ୍କୁଲ୍‌ ପରିଦର୍ଶନ କଲେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍

ପାଠ୍ୟ ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ କଲେ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ (୫T) ଭି.କେ. ପାଣ୍ଡିଆନ୍ ରବିବାର ସକାଳୁ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ରାଜଧାନୀର ୫ଟି ବିଦ୍ୟାଳୟ ବୁଲି ଦେଖିଛନ୍ତି 5T ସଚିବ । ଭୁବନେଶ୍ୱରର ୟୁନିଟ୍-୬, ୟୁନିଟ୍-୧, କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୯ ବାଳିକା ହାଇସ୍କୁଲ୍ ଓ ଆଇଆରସି ଭିଲେଜ ପରିଦର୍ଶନ କରିଛନ୍ତି । ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ସ୍କୁଲର ସମସ୍ୟା ନେଇ ଆଲୋଚନା କରିଛନ୍ତି ।

ସ୍କୁଲରେ ବିଜ୍ଞାନ ପରୀକ୍ଷାଗାର, ସ୍ମାର୍ଟ କ୍ଲାସ୍‌ରୁମ୍‌, ଲାଇବ୍ରେରି ରିଡିଙ୍ଗ୍‌ ରୁମ୍‌, ଖେଳକୁଦ ସୁବିଧା କିପରି ରହିଛି ଏବଂ ୧୦ମ ପରୀକ୍ଷାଫଳ କିପରି ହୋଇଛି ସେ ସଂକ୍ରାନ୍ତରେ ୫-ଟି ସଚିବ ସେମାନଙ୍କୁ ପଚାରି ବୁଝିଥିଲେ।ଫଳାଫଳ କିଭଳି ଭଲ କରାଯାଇପାରିବ, ରାଜ୍ୟ ସରକାରଙ୍କ ମୋ ସ୍କୁଲ୍ କାର୍ଯ୍ୟକ୍ରମ‌ କେତେ ସକ୍ରିୟ ରହିଛି ଏବଂ ମୋ ସ୍କୁଲ୍‌ ମାଧ୍ୟମରେ କ’ଣ କରାଯାଉଛି ସେ କଥା ମଧ୍ୟ ସେ ପଚାରିଥିଲେ। କେତେକ ସ୍କୁଲ୍‌ରେ ମୋ ସ୍କୁଲ୍‌ ଖୁବ୍‌ ସକ୍ରିୟ ଏବଂ ପ୍ରଭାବଶାଳୀ ଥିବା କଥା ସେ ଅବଗତ ହୋଇଥିଲେ।

ଶିକ୍ଷା ଦାନ ବ୍ୟବସ୍ଥାକୁ ଶିକ୍ଷାର୍ଥୀ ଅନୁକୂଳ, ପ୍ରେରଣାଦାୟୀ ଏବଂ ବିଜ୍ଞାନଭିତ୍ତିକ କରିବା ଲାଗି ସ୍କୁଲ୍‌ ପରିବେଶର ସାମଗ୍ରିକ ଉନ୍ନତି ପାଇଁ ଆଉ କ’ଣ କରାଯାଇ ପାରିବ ବୋଲି ସେ ଉପସ୍ଥିତ ଶିକ୍ଷକ ଓ ‘ଏସ୍‌ଏମ୍‌ସି’ ସଦସ୍ୟମାନଙ୍କ ସହ ପରାମର୍ଶ କରିଥିଲେ।

odisha government 5t secretary vk pandian visits  five schools in bhubaneswar