କଟକ ଝିଅ ପର୍ତ୍ତୁଗାଲ୍‌ରେ ହେଲେ ନିଖୋଜ

ଭୁବନେଶ୍ୱର : ପର୍ତ୍ତୁଗାଲ୍‌ରେ ଓଡ଼ିଆ ଝିଅ ନିଖୋଜ । କଟକ ପୁରୀଘାଟ ଥାନା ଅଞ୍ଚଳର ଜଣେ ଯୁବତୀ ପର୍ତ୍ତୁଗାଲ୍‌ରେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସଂମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକେ ପୁଲିସ୍‌ରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ଛାନ୍‌ଭିନ୍ ଆରମ୍ଭ ହୋଇଛି। ଏଥିସହ ପର୍ତ୍ତୁଗାଲ୍ ଦୂତାବାସ, ପୁଲିସ୍ ସହ ଯୋଗାଯୋଗ ମଧ୍ୟ କରାଯାଇଛି।

ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ଲାଗି ଯୁବତୀ ଜଣକ ସ୍ପେନର ବାର୍ସିଲୋନା ଯାଇଥିଲେ। ସେଠାରେ ଏମ୍‌ଏସ୍‌ସି ପାଠ୍ୟକ୍ରମ ପଢୁଥିବା ସମୟରେ ହଠାତ୍ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା। ଏହି ସମୟରେ କୌଣସି ଏକ କାମରେ ସେ ପର୍ତ୍ତୁଗାଲ୍ ଯାଇଥିଲେ। ତା’ପରଠୁ ତାଙ୍କର ଆଉ କୌଣସି ପତ୍ତା ମିଳୁନି। ଟଙ୍କା ଉଠାଣ ଓ ଇ-ମେଲ୍ ଚେକିଂ ପରେ ଜଣାପଡ଼ିଛି ଯେ, ଯୁବତୀ ଜଣକ ପର୍ତ୍ତୁଗାଲ୍ ହିଁ ଯାଇଛନ୍ତି।୪ ମାସ ହେବ ପରିବାର ଲୋକେ ତାଙ୍କୁ ଫୋନ୍ କରି ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଜବାବ ମିଳିପାରିନାହିଁ। ଫଳରେ ପରିବାର ଲୋକଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି। ୪ ମାସ ହେବ ଝିଅ ସହ କୌଣସି ଯୋଗାଯୋଗ ନ ହୋଇପାରିବାରୁ ଶେଷରେ ସମ୍ପୃକ୍ତ ଯୁବତୀଙ୍କ ବାପା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତ ଷଡଙ୍ଗୀଙ୍କ ସହାୟତା ଲୋଡ଼ିଛନ୍ତି।