ବିସିସିଆଇର ଅଧ୍ୟକ୍ଷ ପାଇଁ ନାମାଙ୍କନ ଭରିଲେ ଗାଙ୍ଗୁଲି

ମୁମ୍ବାଇ:ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରିବର୍ତ୍ତୀ ଅଧ୍ୟକ୍ଷ ହେବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ। ଏହି ପଦ ପାଇଁ ସେ ସୋମବାର ଅପରାହ୍ନ ପ୍ରାୟ ୧ଟା ୩୦ରେ ନାମାମଙ୍କନ ପତ୍ର ଦାଖଲ ପାଇଁ ମୁମ୍ବାଇ ସ୍ଥିତ ବିସିସିଆଇ କାର୍ଯ୍ୟାଳୟ ପହଞ୍ଚିଥିଲେ ଏବଂ ପ୍ରାୟ ୨ଟା ୪୫ରେ ଅଫିସରୁ ବାହାରକୁ ଆସିଥିଲେ। ତାଙ୍କ ସହିତ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ପୁତ୍ର ଜୟ ଶାହା ଥିଲେ। ଶାହା ସଚିବ ପଦ ପାଇଁ ନିଜର ନାମାଙ୍କନ ଦାଖଲ କରିଛନ୍ତି।  ନାମାଙ୍କନ ପରେ ଗାଙ୍ଗୁଲି କହିଛନ୍ତି ଯେ, ବୋର୍ଡରେ ଅନେକ ପ୍ରସଙ୍ଗ ରହିଛି, ଯାହାର ସମାଧାନ କରିବାର ଅଛି। 

ବିସିସିଆଇ ମୁଖ୍ୟ କି ଅଧିନାୟକ କେଉଁ ପଦ ଅଧିକ ଚ୍ୟାଲେଞ୍ଜିଂ ରହିଛି ?  ଏହାର ଉତ୍ତରରେ ଗାଙ୍ଗୁଲି କହିଛନ୍ତି ଯେ,  ଅଧିନାୟକ କାମ ଅଧିକ ଚ୍ୟାଲେଞ୍ଜିଂ ରହିଛି, କାରଣ ପଡ଼ିଆରେ ଦଳକୁ ସମ୍ଭାଳିବାକୁ ପଡ଼ିଥାଏ। ଏହି ସମୟରେ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଏନ.ଶ୍ରୀନିବାସନ ଓ ପୂର୍ବତନ ଆଇପିଏଲ କମିଶନର ରାଜୀବ ଶୁଳ୍କା ଥିଲେ। ଉଲ୍ଲେଖଯୋଗ୍ୟ, ରବିବାର ଅନୁଷ୍ଠିତ ବୈଠକରେ ବିସିସିଆଇର ପରବର୍ତ୍ତୀ ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ନାମରେ ମୋହର ମରାଯାଇଛି।

ଗାଙ୍ଗୁଲି କହିଛନ୍ତି ଯେ, ଏହି ନିଯୁକ୍ତିରେ ମୁଁ ଖୁସି ଅଛି କାରଣ ବର୍ତ୍ତମାନ ବିସିଆଇର ଛବି ଖରାପ ହୋଇଛି ଏବଂ ଏହା ମୋ ପାଇଁ କିଛି କରିବାର ସୁଯୋଗ ରହିଛି। ଏହି ପଦରେ ରହି ସେ ଦଳ ଏବଂ ଖେଳାଳିଙ୍କ ପାଇଁ ବଡ଼ ପରିବର୍ତ୍ତନ ଆଣି ପାରିବେ। ଏହା ଏକ ବହୁତ ବଡ଼ ଦାୟିତ୍ଵ, କାରଣ ଏହା କ୍ରିକେଟ ଦୁନିଆର ସବୁଠୁ ବଡ଼ ସଂଗଠନ ଅଟେ। କ୍ରିକେଟ୍ କ୍ଷେତ୍ରରେ ଭାରତ ଏକ ଶକ୍ତିଶାଳୀ ଦେଶ ଏବଂ ଏହା ମୋ ପାଇଁ ଚ୍ୟାଲେଞ୍ଜିଂ ରହିବ। 

ତାଙ୍କ ବ୍ୟତୀତ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ବ୍ରୁଜେଶ ପଟେଲ ଆଇପିଏଲର ପରବର୍ତ୍ତୀ ଅଧ୍ୟକ୍ଷ ହେବେ। ଏହି ପଦ ପାଇଁ ଗାଙ୍ଗୁଲିଙ୍କୁ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ସେ ଏହି ପଦ ସମ୍ଭାଳିବାକୁ ମନା କରି ଦେଇଥିଲେ। ୪୭ ବର୍ଷୀୟ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଏକ ବର୍ଷରୁ କମ ସମୟ ରହିବ। କାରଣ ନୂନତ ନିୟମ ଅନୁଯାୟୀ, ଆଗାମୀ ବର୍ଷ ଜୁଲାଇ ପରେ ସେ କୁଲିଂ ଅଫ ପିରିୟଡରେ ଚାଲିଯିବେ। 

ବର୍ତ୍ତମାନ ଗାଙ୍ଗୁଲି ପଶ୍ଚିମବଙ୍ଗ କ୍ରିକେଟ୍ ସଂଘର ଅଧ୍ୟକ୍ଷ ପଦରେ କାର୍ଯ୍ୟରତ ଅଛନ୍ତି। ବିସିସିଆଇର ନୂତନ ନିୟମ ଅନୁଯାୟୀ, ଜଣେ ପ୍ରଶାସକ କ୍ରମାଗତ ଛଅ ବର୍ଷ ପର୍ଯ୍ୟନ୍ତ ନିଜ ସେବା ଦେଇ ପାରିବ। ଏହି ନିୟମ ଆମକୁ ପାଳନ କରିବାକୁ ପଡ଼ିବ ବୋଲି ଗାଙ୍ଗୁଲି କହିଛନ୍ତି। ମୋର ପ୍ରଥମ ପ୍ରାଥମିକତା  ପ୍ରଥମ ଶ୍ରେଣୀ କ୍ରିକେଟଙ୍କ ଉପରେ ଧ୍ୟାନ ଦେବା ରହିଛି। କ୍ରିକେଟରଙ୍କ ଆର୍ଥିକ ହିତକୁ ଦୃଷ୍ଟିରେ ରଖି ରଣଜୀ ଟ୍ରଫି କ୍ରିକେଟ୍ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।  ଘରୋଇ କ୍ରିକେଟର ଉପଯୁକ୍ତ ପ୍ରଶିକ୍ଷଣର ଆବଶ୍ୟକତା ରହିଛି।