ଓଡ଼ିଶା ଉନ୍ନୟନ କର୍ତୃପକ୍ଷ (ଯୋଜନା ଏବଂ ନିର୍ମାଣ ମାନକ) ନିୟମ ୨୦୨୦ ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ସରକାର ଓଡ଼ିଶା ଉନ୍ନୟନ କର୍ତୃପକ୍ଷ (ଯୋଜନା ଏବଂ ନିର୍ମାଣ ମାନକ) ନିୟମ, ୨୦୨୦ କାର୍ଯ୍ୟକାରୀ କରିବା ନିମନ୍ତେ ତା-୧୨.୦୮.୨୦୨୦ରେ ବିଜ୍ଞପ୍ତି ଜାରିକରିଛନ୍ତି । ଏହି ନିୟମ ମାଧ୍ୟମରେ ପ୍ରଚଳିତ ବ୍ୟବସ୍ଥା ଏବଂ ପଦ୍ଧତିରେ ସମାନତା ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।

ଏତଦ୍‌ଦ୍ୱାରା ବିଭିନ୍ନ ଉନ୍ନୟନ କତୃପକ୍ଷଙ୍କ ଦ୍ୱାରା ପ୍ରଣିତ ଏକାଧିକ ଅଧିନିୟମର ଆବଶ୍ୟକତା ରହିବ ନାହିଁ । ଏହା ଆମକୁ ସାରା ରାଜ୍ୟରେ କୋଠାବାଡ଼ି ନିର୍ମାଣ ଯୋଜନା ଅନୁମୋଦନ ପାଇଁ ଏକ ସାଧାରଣ ଅନ୍‌ଲାଇନ୍ ପ୍ଲାଟଫମ୍‌ର୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।  ନିୟମାବଳୀକୁ ସଂପୂର୍ଣ୍ଣ ଲୋକାଭିମୁଖୀ ଓ ପ୍ରଗତିଶୀଳ କରିବାପାଇଁ ଉଦ୍ୟମ କରାଯାଇଛି । ସହରମାନଙ୍କରେ ବସବାସ କରୁଥିବା ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ସମସ୍ୟା ଦିଗରେ ଅନେକ ନିୟମ ଗୁଡ଼ିକୁ କୋହଳ କରାଯାଇଛି ଓ ଅନେକ ରିହାତି ତଥା ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି । ଏହା କେବଳ ଛୋଟ ଘରୋଇ କୋଠା ଗୁଡ଼ିକୁ ଯୋଜନା, ନିର୍ମାଣ ଏବଂ ଦଖଲ କରିବା ସହଜ କରିବ ନାହିଁ ବରଂ ସାଧାରଣଭାବେ ବଡ଼ ବଡ଼ ବାସଗୃହ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରୋତ୍ସାହନ ଯୋଗାଇବ ଏବଂ ବାସଗହୃ ସମସ୍ତଙ୍କ ପାଇଁ ସୁଲଭ ହେବ । ପ୍ରାୟତଃ ସମସ୍ତ ବର୍ଗର ଅଟାଲିକା ନିର୍ମାଣ ନିମନ୍ତେ ସେଟ୍‌ବ୍ୟାକ୍ ନିୟମକୁ କୋହଳ କରାଯାଇଛି । କମ ବିପଦପୂର୍ଣ୍ଣ ବିଲଡି଼ଙ୍ଗ ଉପରେ ସର୍ବାଧିକ FAR ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ସ୍ୱଳ୍ପ ବିପଦପୂର୍ଣ୍ଣ ଅଟ୍ଟାଳିକା ପାଇଁ ୧୦୮ ଟି ପୂର୍ବ ଅନୁମୋଦିତ ଡ଼ିଜାଇନ୍ ସହଜରେ ଉପଲବ୍ଧ କରାଯାଇଛି; ଫଳରେ ସ୍ଥପତି ବା ବୈଷୟିକ କୌଶଳଧାରୀ ବ୍ୟକ୍ତି ଏବଂ ଯୋଜନା କର୍ତୃପକ୍ଷଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଏହି ନିୟମାବଳୀ ଯୋଗୁଁ ଯୋଜନା ଗୁଡ଼ିକ ତୁରନ୍ତ ଅନୁମୋଦନ ପାଇବ । ବର୍ତମାନ ଘର ନିର୍ମାଣ କରିବା ଏବଂ occupancy ପ୍ରମାଣପତ୍ର ପାଇବା ପୂର୍ବ ଅପେକ୍ଷା ବହୁତ ସହଜ ହେବ । ବାସଗୃହ ପାଇଁ ଉଦ୍ଦିଷ୍ଟ କୋଠାବାଡ଼ି ବର୍ତମାନ ବ୍ୟବସାୟିକ ପ୍ରତିଷ୍ଠାନ ନିମନ୍ତେ ମଧ୍ୟ ବ୍ୟବହାର ହୋଇପାରିବ । ଏହି ସମସ୍ତ ବ୍ୟବସ୍ଥାର ପରିଣାମ ସ୍ୱରୂପ ସହରାଂଚଳରେ ଯଥେଷ୍ଟ ବାସଗୃହ ଉପଲବ୍ଧ ହୋଇପାରିବ ।

Odisha Development Authorities (Planning & Building Standard) Rules, 2020

ଅନେକ ରିହାତି ଏବଂ ସୁବିଧା ମାଧ୍ୟମରେ ଏହି ନିୟମ ସୁଲଭ ଗୃହନିର୍ମାଣ କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ଆଣିବ । ଗୃହନିର୍ମାଣ କ୍ଷେତ୍ରରେ ଅଧିକରୁ ଅଧିକ ପୁଂଜି ବିନିଯୋଗକୁ ଆକର୍ଷିତ କରିବାପାଇଁ ରାସ୍ତା, ପାର୍କିଙ୍ଗ୍ ଏବଂ ସେଟ୍‌ବ୍ୟାକ ନିୟମକୁ କୋହଳ କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଓଡ଼ିଶା ସହରାଂଚଳରେ ସମସ୍ତଙ୍କ ପାଇଁ ଘର ନିତି, ୨୦୧୫ ରେ ସଂଶୋଧନ କରାଯାଇଛି ।

ଏତଦ୍‌ଦ୍ୱାରା, ସରକାରୀ ଅଣସରକାରୀ ଭାଗିଦାରୀ ଭିତିରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ତଥା ନିମ୍ନଆୟକାରୀ ବର୍ଗ ପରିବାରମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଗୃହନିର୍ମାଣ ପ୍ରକଳ୍ପମାନଙ୍କରେ ବର୍ତମାନ ଅଣସରକାରୀ ଅଂଶୀଦାରଙ୍କୁ ପ୍ରକଳ୍ପାଧୀନ ୪୦% ଜାଗା ଉପରେ
ସୁଲଭ ଗୃହ ନିର୍ମାଣ କରିବା ପାଇଁ ୬୦% ସରକାରୀ ଜାଗା ମାଗଣାରେ ମିଳିବ । ଏହା ପୂର୍ବରୁ ଏହାର ଅନୁପାତ ୬୫:୩୫ ଥିଲା । ବର୍ତମାନ ଏହାକୁ ବୃଦ୍ଧି କରାଯାଇ ୪୦:୬୦ କରାଯାଇଛି ଯାହା ସମଗ୍ର ଭାରତ ବର୍ଷରେ ପ୍ରଥମ ଏବଂ ସର୍ବାଧିକ । ଏତଦ୍‌ବ୍ୟତୀତ, ଘରବାରି ବିକ୍ରୟ
ପ୍ରକଳ୍ପମାନଙ୍କରେ ୨୦% ଜାଗା EWS ଏବଂ LIG ବର୍ଗପାଇଁ ସଂରକ୍ଷଣ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଏହାମଧ୍ୟ ଆଶା କରାଯାଇଛି ଏହି ନିୟମ ରିଏଲିଷ୍ଟେଟ୍ କ୍ଷେତ୍ରରେ ଯଥେଷ୍ଟ ଅଭିବୃଦ୍ଧି ଆଣିବ । ଏହି ନିୟମାବଳୀରେ ସର୍ବାଧିକ FAR ସୀମା ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହା ସମଗ୍ର ଦେଶରେ ସବୁଠାରୁ ଅଧିକ । ଏହା ସୁଉଚ୍ଚ ଅଟାଳିକା ନିର୍ମାଣ କ୍ଷେତ୍ରରେ ସହାୟକ ହେବ । ଏହି ବର୍ଗର କୋଠାବାଡ଼ି ପାଇଁ ମଧ୍ୟ ସେଟ୍ ବ୍ୟାକ ରିହାତି ଦିଆଯାଇଛି । ପ୍ଲଟ ସାଇଜ ଅନୁସାରେ ବ୍ୟାପକ ରିହାତି ବ୍ୟବସ୍ଥା କରାଯାଇ stilt ଓ ବେସମେଂଟ ଇତ୍ୟାଦିରେ ଛାଡ଼ କରାଯାଇଛି । ଖରିଦ କରିବାକୁ ଥିବା ଫ୍ଲୋର ଏରିଆ ଅନୁପାତ ପୂର୍ବ ଅପେକ୍ଷା ୫୦% କମ କରାଯାଇଛି ।

ପର୍ଯ୍ୟାୟକ୍ରମେ Occupancy Certificate ଦେବାର ବ୍ୟବସ୍ଥା ରହିଛି । ଡ଼ିଜାଇନରେ ନମୋନିୟତା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । Open Space ରେ ରିହାତି ପ୍ରଦାନ କରାଯାଇଛି । ଢାଂଚାଗତ ଦୃଢତା ଏବଂ ଅଗ୍ନି ନିରାପତା ନିୟମକୁ କଡ଼ାକଡ଼ି କରାଯାଇଛି । ଏହି ସମସ୍ତ ପଦକ୍ଷେପ ଓଡ଼ିଶାରେ ରିଏଲିଷ୍ଟେଟ୍ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତନ ଆଣିବ ବୋଲି ଆଶା କରାଯାଉଛି । ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସରକାର ସଚେତନ ଅଛନ୍ତି । ତେଣୁ ସବୁଜ ଆବରଣ ଏବଂ ଖୋଲାସ୍ଥାନ ବୃଦ୍ଧିପାଇଁ ବିଭିନ୍ନ ପଦକ୍ଷେପ ସହିତ ଖାଲିଯାଗା ସଂଗ୍ରକ୍ଷଣକୁ ପ୍ରତିବନ୍ଧକ ଲଗାଯାଇଛି । ନିୟମାବଳୀକୁ ଉଲଘଂନ କରିବା/ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ କଠୋର କରାଯାଇଛି ଏବଂ ବିଭିନ୍ନ ଦଣ୍ଡ ବିଧାନ ସହିତ ତୃତୀୟପକ୍ଷ ଯାଂଚ ବ୍ୟବସ୍ଥା ରଖାଯାଇଛି ।