ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ

କଟକ : ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାଇକୋର୍ଟରେ ଅପିଲ କରିବ । ଡାଇରେକ୍ଟର ପବ୍ଲିକ ପ୍ରୋସିକ୍ୟୁସନ ସହାୟତାରେ କୋର୍ଟ କୁ ଯିବ କ୍ରାଇମ ବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି । ହାଇକୋର୍ଟ ଯିବାକୁ ଚାଲିଛି ନଥିପତ୍ର ପ୍ରସ୍ତୁତି । ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ । ସହକାରୀ ଓକିଲ ତଳକୋର୍ଟରେ ଉଚିତ୍ ଯୁକ୍ତି ଉପସ୍ଥାପନ କରିଥିଲେ । ‘ପୀଡିତାଙ୍କୁ ହତ୍ୟା କରାଯାଇଥିବା ଜଜ୍‌ମେଣ୍ଟରେ କହିଛନ୍ତି କୋର୍ଟ’ ହେଲେ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ପ୍ରମାଣିତ ହୋଇପାରିନି । ଆମ ପାଖରେ ଯଥେଷ୍ଟ ତଥ୍ୟ ପ୍ରମାଣ ଅଛି । ‘ହାଇକୋର୍ଟରେ ସେସବୁ ତଥ୍ୟ ପ୍ରମାଣ ରଖିବୁ ବୋଲି କହିଛନ୍ତି ଏଡିଜି ।

ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ତଳ କୋର୍ଟ ନିର୍ଦୋଷରେ ଖଲାସ କରିବା ପରେ ବିରୋଧୀ ଦଳ ଏବେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛି । ଫଳରେ ସରକାର ଅଡୁଆ ପରିସ୍ଥିତିରେ ପଡିଛନ୍ତି । ଅପରପକ୍ଷରେ ଅଭିଯୁକ୍ତମାନ ନିର୍ଦୋଷରେ ଖଲାସ ହେବା ପରେ ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନ ଏବେ ରାଜ୍ୟ ରାଜନୀତିରେ ନିଆଁ ଲଗାଇଦେଇଛି । ବିଜେପି ଓ କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ସେହିଭଳି ମାମଲାକୁ କ୍ରାଇମବ୍ରାଞ୍ଚ ଠିକରେ ପରିଚାଳନା କରିନାହିଁ । ଠିକ ତଥ୍ୟ ପ୍ରମାଣ ଦେଇନଥିବାରୁ ଅଭିଯୁକ୍ତମାନେ ଖସି ଗଲେ ବୋଲି ବିରୋଧୀମାନେ ସମାଲୋଚନା କରିଛନ୍ତି । ଫଳରେ ଆଜି କଟକ ପୋଲିସ ମୁଖ୍ୟାଳୟରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଏଡିଜି ସନ୍ତୋଷ ଉପାଧ୍ୟାୟ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ପିଡୀତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ପ୍ରମାଣ ରହିଛି । ତେଣୁ ବର୍ତ୍ତମାନ ତଳ କୋର୍ଟର ରାୟର ତର୍ଜମା ଚାଲିଛି । କ୍ରାଇମବ୍ରାଞ୍ଚ ଏ ନେଇ ଉପର କୋର୍ଟରେ ଅର୍ଥାତ ହାଇକୋର୍ଟରେ ଖୁବଶୀଘ୍ର ଆବେଦନ କରିବ ।