ରାଜ୍ୟରେ ୨ କୋଟିରୁ ଅଧିକ ଲୋକ ନେଲେଣି କୋଭିଡ୍ ପ୍ରଥମ ଡୋଜ୍ ଟିକା

ରାଜ୍ୟରେ ଟିକାକରଣରେ ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣରେ ରେକର୍ଡ ।  ଜାନୁଆରୀ ୧୬ରୁ ଦେଶବ୍ୟାପୀ ଟିକାକରଣ ଜାରି ରହିଛି । ରାଜ୍ୟରେ ଟିକାକରଣ ଜାରି ରହିଛି । ଏବେ ସୁଦ୍ଧା ୨ କୋଟିରୁ ଅଧିକ ପ୍ରଥମ କୋଭିଡ୍ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । କୋଭିଡ୍ ବିରୋଧୀ ଯୁଦ୍ଧରେ ଲୋକଙ୍କ ସହଯୋଗ ସହ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଛି ସ୍ୱାସ୍ଥ୍ୟ ବିଭାଗ ।
ରାଜ୍ୟରେ ୧୬୦୬ଟି ଟିକାକରଣ କେନ୍ଦ୍ର ରହିଛି । ଆଜି ସୁଦ୍ଧା ୨ କୋଟି ୬୭ ହଜାର ୧୮୮ ଜଣ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ସେହିଭଳି ୬୯ ଲକ୍ଷ ୨୦ ହଜାର ୫୩୬ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଜଣାପଡ଼ିଛି । ବୟସାନୁପାତରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ସର୍ବାଧିକ ୧ କୋଟି ୩୨ ଲକ୍ଷ ୮୧ ହଜାର ୮୭୮ ଡୋଜ୍ ଟିକା ଦିଆଯାଇଛି । ୪୫ରୁ ୬୦ ବର୍ଷ ବୟସ୍କ ମଧ୍ୟରେ ୮୧ ଲକ୍ଷ ୬୦ ହଜାର ୩୩୭ ଡୋଜ୍ ଟିକା ଦିଆଯାଇଥିବା ବେଳେ ୬୦ ବର୍ଷ ବୟସ୍କରୁ ଅଧିକ ୫୫ ଲକ୍ଷ ୪୫ ହଜାର ୫୦୯ ଡୋଜ୍ ଦିଆଯାଇଛି ।

ମୋଟ ୨ କୋଟି ୩୪ ଲକ୍ଷ ୪୬ ହଜାର ୭୬୪ କୋଭିସିଲ୍ଡ ଡୋଜ୍ ଦିଆଯାଇଥିବା ବେଳେ ୩୫ ଲକ୍ଷ ୩୫ ହଜାର ୨୭୪ ଡୋଜ୍ କୋଭିସିଲ୍ଡ ଡୋଜ୍ ଦିଆଯାଇଛି । ଲିଙ୍ଗ ଅନୁପାତରେ ମହିଳାଙ୍କ ଠାରୁ ଅଧିକ ପୁରୁଷ ଟିକା ନେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୯ ଲକ୍ଷ ୪୩ ହଜାର ୨୩୮ ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ କ୍ଷେତ୍ରରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରେ ସର୍ବାଧିକ ୧୨ ଲକ୍ଷ ୬ ହଜାର ୩୮୪ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।