ହାତ ଛାଡିଲେ, ଶଙ୍ଖ ଧରିବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ସୋନିଆ ଗାନ୍ଧୀଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି ପ୍ରଦୀପ

ଭୁୁବନେଶ୍ୱର : ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି । କଂଗ୍ରେସର ହେଭିୱେଟ୍ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳ ଛାଡ଼ିଦେଇଛନ୍ତି । କଂଗ୍ରେସର ଏହି କାର୍ଯ୍ୟକାରୀ ସଭାପତି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କ ପାଖକୁ ସେ ଆଜି ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି ।
ଇସ୍ତଫାପତ୍ରରେ ପ୍ରଦୀପ ଲେଖିଛନ୍ତି, ଏଠି ଜନସେବା କରିବାର ସୁଯୋଗ ନାହିଁ । ତେଣୁ ଅତି ଦୁଃଖ ଓ କଷ୍ଟର ସହ ମୋତେ ଏହି ନିଷ୍ପତ୍ତି ନେବାକୁ ପଡୁଛି । କଂଗ୍ରେସର ଏହି ଟାଣୁଆ ଯୁବନେତା ତଥା କାର୍ଯ୍ୟକାରୀ ସଭାପତି ଦଳୀୟ କାର୍ଯ୍ୟକ୍ରମ ଓ ନେତୃତ୍ୱଙ୍କ ଆଚରଣରେ ବ୍ୟଥିତ ଥିଲେ । ଅନ୍ତଃକନ୍ଦଳ, ଗୋଡ଼ ଟଣାଟଣି ନୀତି ଯୋଗୁଁ ତାଙ୍କୁ କାମ କରିବାର ସୁଯୋଗ ନ ଥିବା ସେ ଅନୁଭବ କରୁଥିଲେ । ଅଣନିଶ୍ୱାସୀ ହୋଇପଡ଼ିଥିବା ଶ୍ରୀ ମାଝୀ ଦଳ ଛାଡ଼ିଦେବେ ବୋଲି କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ଏହି ଚର୍ଚ୍ଚା ପରିପ୍ରେକ୍ଷୀରେ ତାଙ୍କର ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ବରିଷ୍ଠ ନେତା ଭକ୍ତ ଦାସ ଦୁଇ ସପ୍ତାହ ତଳେ ତାଙ୍କୁ ନେଇଥିଲେ ରାହୁଲ ଗାନ୍ଧୀଙ୍କ ପାଖକୁ । ମାତ୍ର ଏହା ତାଙ୍କ ନିଷ୍ପତ୍ତି ବଦଳେଇ ପାରିଲାନି । ପ୍ରଦୀପ ମାଝୀଙ୍କ ଇସ୍ତଫା ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଦୁର୍ଗ ଭୁଶୁଡ଼ି ପଡିଛି । କିଛି ଦିନ ମଧ୍ୟରେ କୋଟପାଡ଼ର ପୂର୍ବତନ ଚନ୍ଦ୍ରଶେଖର ମାଝୀ ଏବଂ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା ଦଳରୁ ଇସ୍ତଫା ଦେଇଥିଲେ । ସେମାନେ ବିଜେଡ଼ିରେ ଯୋଗଦେଇଛନ୍ତି ।
ପ୍ରଦୀପ ମାଝୀ ତାଙ୍କର ପରବତ୍ତୀ ପଦକ୍ଷେପ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇନଥିଲେ ମଧ୍ୟ ବିଜେଡ଼ିରେ ଯୋଗଦେବେ ବୋଲି ଆପାତତଃ ସ୍ଥିର କରିଥିବା ସୂଚନା ମିଳିଛି । ଖୁବ୍ ଶୀଘ୍ର ତାଙ୍କ ପାଇଁ ବିଜେଡ଼ିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ସପ୍ତାହରେ ରାଜଧାନୀରେ ଏହି ମିଶ୍ରଣ ପର୍ବ ହେବ । ଥେିରେ ନିଜ ସମର୍ଥକଙ୍କ ସହ ବିଜେଡିରେ ବିଦ୍ଧି ବଦ୍ଧ ଭାବେ ମିଶିବେ ପ୍ରଦୀପ ମାଝୀ ।
କଂଗ୍ରେସ ଛାଡି ପ୍ରଦୀପ ବିଜେଡିରେ ଯୋଗଦେବା ନେଇ ନବରଙ୍ଗପୁରରୁ ଭୁବନେଶ୍ୱର ଯାଏ ଲମ୍ବିଥିଲା ଚର୍ଚ୍ଚା । ଏକଦା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ପ୍ରଦୀପଙ୍କ ବାପା ଭଗବାନ ମାଝୀ ରାଜ୍ୟସଭା ସାଂସଦ ହୋଇଥିଲେ । ଆଉ କଂଗ୍ରେସରୁ ଲଗାତାର ଦୁଇ ଥର ହାରିବା ପରେ ପ୍ରଦୀପ ଏବେ ନିଜ ବାପାଙ୍କ ରାଜନୀତି ରାସ୍ତାରେ ଯାଇ ବିଜୁଙ୍କୁ ଆଦର୍ଶ କରି ଶଙ୍ଖ ଧରିବାକୁ ଯାଉଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ନୂଆ ରାଜନୈତିକ ଇନିଙ୍ଗସ୍ ଆରମ୍ଭ କରିବେ । କଂଗ୍ରେସର ଏହି ଯୁବ ନେତା ପୂର୍ବରୁ ନବରଙ୍ଗପୁର ଲୋକସଭା ସାଂସଦ ଭାବେ ଜିତିଥିଲେ । ପ୍ରଥମ ଥର ସାଂସଦ ଥିଲେ ବି ଯୁବ ନେତା ଭାବେ ଦିଲ୍ଲୀ କଂଗ୍ରେସ ରାଜନୀତିରେ ତାଙ୍କର ପ୍ରଭାବ ଭଲ ଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟଙ୍କ ଭଳି ପ୍ରଦୀପ ମାଝୀ ମଧ୍ୟ ରାହୁଲ ଗାନ୍ଧୀଙ୍କ କୋର ଟିମରେ ସଦସ୍ୟ ଥିଲେ । ହେଲେ ଲଗାତାର ୨ ଥର ସାଂସଦ ପ୍ରାର୍ଥୀ ହୋଇ ବି ହାରିବା ପରେ ଏବେ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏମିତିକି ପ୍ରଦୀପଙ୍କ ସହ କଂଗ୍ରେସର ଆଉ କିଛି ପୂର୍ବତନ ବିଧାୟକ ବି ଦଳ ଛାଡି ବିଜେଡିରେ ଯାଗ ଦେବେ ବୋଲି ଶୁଣିବାକୁ ମିଳୁଛି । ପୂର୍ବତନ ବିଧାୟକ କୈଳାସ କୁଲେସିକା ହାତ ଛାଡି ଶଙ୍ଖ ଫୁଙ୍କି ସାରିଛନ୍ତି । ଆଗକୁ ଭୂଜବଳ ମାଝୀ, ଓ ପୂର୍ବରୁ କଂଗ୍ରେସ ଛାଡିଥିବା କୃଷ୍ଣଚନ୍ଦ୍ର ସଗରିଆ ବି ପ୍ରଦୀପଙ୍କ ପରି ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଛି । ଅଭିଭକ୍ତ କୋରାପୁଟ ଜିଲ୍ଲାର କିଛି ସରପ , ସମିତି ସଭ୍ୟ ଓ ଜିଲ୍ଲାପରିଶଦ ସଦସ୍ୟଙ୍କ ସମେତ ନିଜର ଶତାଧିକ ସମର୍ଥକଙ୍କୁ ଧରି ପ୍ରଦୀପ କୁଆଡେ ଶଙ୍ଖ ଧରିବେ । ତେବେ ଏକଦା ଅଣ କଂଗ୍ରେସ ରାଜନୀତିରେ ପ୍ରଦୀପ ମାଝୀଙ୍କ ପାଇଁ ନୂଆ ହେବ ନାହିଁ । ତାଙ୍କ ପରିବାରର ଅଣକଂଗ୍ରେସ ରାଜନୀତିରେ ବେଶ ଦବାଦବା ରହିଥିଲା । ପ୍ରଦୀପ ମାଝୀଙ୍କ ବାପା ଭଗବାନ ମାଝୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅନୁଗତ ଥିଲେ । ୧୯୯୨ ରୁ ୯୪ ଯାଏ ଭଗବାନ ଜନତା ଦଳରୁ ଝରିଗାଁ ବ୍ଲକର ଚେୟାରମ୍ୟାନ ଥିଲେ । ସେହିପରି ୧୯୯୪ରୁ ୨୦୦୦ ମସିହା ଯାଏ ବିଜୁ ପଟ୍ଟନାୟକ ପ୍ରଦୀପଙ୍କ ବାପା ଭଗବାନଙ୍କୁ ରାଜ୍ୟସଭା ସାଂସଦ କରି ପଠାଇଥିଲେ । ସେମିତି ପ୍ରଦୀପଙ୍କ ଜେଜେ ନିଳାମ୍ବର ମାଝୀ ଅଣ କଂଗ୍ରସରୁ ସାଂସଦ ପ୍ରାର୍ଥୀ ଭାବେ ଲଢିଥିଲେ । କେବଳ ସେତିକି ନୁହେଁ ପ୍ରଦୀପ ମାଝୀଙ୍କ ଭାଇ ପ୍ରସନ୍ନ ମାଝୀ ମଧ୍ୟ ୨୦୦୨ରୁ ୨୦୦୭ ଯାଏ ବିଜେଡି ବ୍ଲକ ଚେୟାର ମ୍ୟାନ ହୋଇଥିଲେ । ଅଣ କଂଗ୍ରେସ ରାଜନୀତିରେ ପ୍ରଦୀପଙ୍କ ପରିବାରର ଇତିହାସ ଏବେ ପୁଣି ପୁନାରାବୃତ୍ତି ହେବାକୁ ଯାଉଛି । ଶ୍ରୀ ମାଝୀ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ୨୦୦୯ରୁ ୨୦୧୧ ଓ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ସାଂସଦ ଭାବେ ନବରଙ୍ଗପୁରରୁ ନିର୍ବାଚିତ ହୋଇଥିଲେ । ତା’ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ପରିଷଦ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

odisha congress working president resigns from party