ରାଫେଲ୍ ଦୁର୍ନୀତି ପ୍ରତିବାଦରେ ଗର୍ଜିଲା କଂଗ୍ରେସର

ଯାଜପୁର : ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଫେଲ୍ ଦୁର୍ନୀତି ପ୍ରତିବାଦରେ ଏକ ବିଶାଳ ପ୍ରତିବାଦସଭା ଓ ବିକ୍ଷୋଭ ସ୍ଥାନୀୟ ଗାନ୍ଧିଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା କଂଗ୍ରେସ କମିଟି ସଭାପତି ମନୋଜ ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ରାଫେଲ୍ ଦୁର୍ନୀତିରେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତି ସହ ୧.୭୦ ହଜାର କୋଟି ଟଙ୍କା ହଡପ କରିଥିବା ସମ୍ପର୍କରେ ଅଭିଯୋଗ ଉଠାଇଥିଲେ । ସେହିପରି ରାଜ୍ୟରେ ବିଜେପି ଓ ବିଜେଡି କଳି ଲାଗୁଥିଲା ବେଳେ ଦିଲ୍ଳୀରେ କୋଳାକୋଳି ହେଉଛନ୍ତି । ଏବେ ସେମାନଙ୍କର ଅବୈଧ ପ୍ରେମ ପଦାରେ ପଡିଯାଇଛି ବୋଲି ସେ କହିଥିଲେ । ସେ କହିଥିଲେ ଯେ ଓଡ଼ିଶାର ବିକାଶ ଦାବି କରୁଥିବା ରାଜ୍ୟ ସରକାର ଏବେ ଦୁର୍ନୀତିରେ ଉବୁଟୁବୁ ହେଉଥିବା ବେଳେ ୧୮ବର୍ଷ ମଧ୍ୟରେ ଓଡ଼ିଶା ସବୁଠାରୁ ଦରିଦ୍ରତମ ରାଜ୍ୟରେ ପରିଣତ ହୋଇଛି । ରାଫେଲ ଦୁର୍ନୀତି ପାଇଁ ଓଡ଼ିଶାର ୩୦ରୁ ୪୦ ହଜାର ବେକାର ଯୁବକ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଥିବା ବେଳେ ରାଜ୍ୟ ସରକାର ଚୁପ୍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି ।

ସେ କହିଥିଲେ ଯେ ଆଗାମୀ ୨୦/୨୫ ବର୍ଷ ପରେ ରାଜ୍ୟରେ କୂଅରେ ପାଣି ମଧ୍ୟ ମିଳିବ ନାହିଁ । ହେଲେ ସରକାର କମ୍ପାନୀଙ୍କ ହାତକୁ ପାଣି ଟେକି ଦେଇଥିବାରୁ ଦିନକୁ ଦିନ ଭୂତଳ ଜଳ ଶୁଷ୍କ ହେବାରେ ଲାଗିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଗୁଁ ଚାଷୀମାନଙ୍କର ଅବସ୍ଥା ଦିନକୁ ଦିନ ସଂଗୀନ ହେବାରେ ଲାଗିଛି । ସେ କହିଥିଲେ ଯେ ବିଜୁ ଯୁବବାହିନୀ ଗଠନ କରି ଯୁବକମାନଙ୍କୁ ମାତ୍ର ୩ ବର୍ଷ ନିଯୁକ୍ତି ପ୍ରଦାନ କରି ବାହା ବାହାବା ନେଉଥିବା ରାଜ୍ୟ ସରକାର ସରକାରୀ ଅର୍ଥକୁ ନିଜସ୍ୱ ପାଣ୍ଠି ଭାବେ ଖର୍ଚ୍ଚ କରିବା କେତେ ଦୂର ଗ୍ରହଣୀୟ ବୋଲି ସାଧାରଣ ଲୋକମାନେ ବିଚାର କରିବେ ବୋଲି ସେ କହିଥିଲେ । ରାଜ୍ୟରେ ୪୦ ଭାଗ ଦଳିତ ଓ ଆଦିବାସୀ ଥିବାବେଳେ ସେମାନଙ୍କ ପ୍ରତି ସରକାରଙ୍କର କୌଣସି ଦରଦ ନଥିବା ଜଣାପଡିଛି । ରାଜ୍ୟର ୨.୫୦ ଲକ୍ଷ ଶିକ୍ଷକ ହତାଶ ଭାବେ ଥିବାବେଳେ ଶିକ୍ଷାପଦ୍ଧତି ରାଜ୍ୟରେ ଦିନକୁ ଦିନ ଅଧପତନ ହେବାରେ ଲାଗିଛି । ରାଜ୍ୟର ଖଣି, ପାଣି ଓ ପାହାଡ଼କୁ ବିଜେଡି କର୍ମୀମାନେ ଲୁଟ୍କରି ଚଳୁ କରୁଥିବାବେଳେ ସରକାର ସେମାନଙ୍କର ଢାଲ ସାଜିଛନ୍ତି

। ସେହିପରି ରାଜ୍ୟରୁ ୫୦/୬୦ ଲକ୍ଷ ଯୁବକ କର୍ମନିଯୁକ୍ତି ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା ବେଳେ ୩୬ ଲକ୍ଷ ବେକାର ଯୁବକ ଏମ୍ପ୍ଲୟମେଣ୍ଟ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରି ବେକାର ହୋଇ ବସିଛନ୍ତି । କିନ୍ତୁ ବିଧାୟକମାନଙ୍କ ଦରମା ବୃଦ୍ଧି ପାଉଛି । ଏହି ରାଜ୍ୟରେ ଦିନକୁ ଦିନ ମହିଳାମାନଙ୍କ ପ୍ରତି ନିର୍ଯ୍ୟାତନା ବୃଦ୍ଧି ପାଉଥିବା ବେଳେ ନାରୀମାନେ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ଶ୍ରୀ ପଟ୍ଟ ନାୟକ କହିବା ସହ ଆଗାମୀ ଦିନରେ କଂଗ୍ରେସ ସରକାର ଗଠନ କରିବ ବୋଲି ଆଭାସ ମିଳିଲାଣି ବୋଲି ସେ କହିଥିଲେ । ଏହି ସଭାରେ ବିଜେପି ଯୁବନେତା ମନୋରଞ୍ଜନ ଦାସ କଂଗ୍ରେସରେ ଯୋଗଦେବା ଅବସରରେ ନିଜ ବକ୍ତବ୍ୟରେ ଆଗାମୀ ଦିନରେ କଂଗ୍ରେସ ଦଳ ମଜବୁତ କରାଯିବା ପାଇଁ ସମସ୍ତ କଂଗ୍ରେସ କର୍ମୀ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ ।

ସଭା ପ୍ରାରମ୍ଭରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ରାଫେଲ ଦୁର୍ନୀତି ବିରୁଦ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏ.ଆଇ.ସି.ସି ସଂପାଦକ ଶରତ ରାଉତ ଏହି ସଭାରେ ଯୋଗଦେଇ ବିଜେଡି ଆଗାମୀ ଦିନରେ ଖଣ୍ଡ ବିଖଣ୍ଡିତ ହୋଇଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସହ ଯାଜପୁର ଜିଲ୍ଲାରେ କ୍ରୋମାଇଟ୍ ଦୁର୍ନୀତିର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଦାବି କରିଥିଲେ । ପିସିସି କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଚିରଞ୍ଜିବି ବିଶ୍ୱାଳ ଏଥିରେ ଯୋଗଦେଇ ବିଜେଡି ସବୁବେଳେ ବିଜେପିକୁ ସାହାଯ୍ୟ କରି ଲୋକମାନଙ୍କୁ ଭକୁଆ ବନାଉଛି ବୋଲି କହିବା ସହ ଆଗାମୀ ଦିନରେ କଂଗ୍ରେସ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ । ଏଆଇସିସି ପ୍ରଭାରୀ ରୁଦ୍ର ରାଜୁ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରିଥିଲେ ।