କଂଗ୍ରେସର ଓଡ଼ିଶା ଜାଗରଣ ଯାତ୍ରା  ଆରମ୍ଭ  : ବସରେ ସାରା ରାଜ୍ୟ ବୁଲିବେ ନେତା

ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ପକ୍ଷରୁ ଆରମ୍ଭ  ହୋଇଛି ଓଡ଼ିଶା ଜାଗରଣ ଯାତ୍ରା  ।  ଗୋଟିଏ ବସରେ ସାରା ରାଜ୍ୟ ବୁଲିବେ କଂଗ୍ରେସ ନେତା ।  ଭୁବନେଶ୍ବରରୁ ଏହି ବସ ବାହାରି ବାଲେଶ୍ୱରରେ ପହଞ୍ଚିଛି ।   ତେବେ ଏହି ଯାତ୍ରା କଂଗ୍ରେସ ଭାଗ୍ୟରେ କଣ ପରିବର୍ତ୍ତନ ଆଣିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଚଣ୍ଡିଗଡ଼ି ବସରେ ସବାର ହେଲେ ନିରଞ୍ଜନ ଏଣ୍ଡ କୋ । ସାଙ୍ଗରେ ବି ବସିଲେ ଜେନା-ପଟ୍ଟନାୟକ।    ବିଜେପିର ରଥ, ବିଜେଡ଼ିର ପଦଯାତ୍ରା ପରେ କଂଗ୍ରେସର ଗଡ଼ିଛି ବସ୍ ଯାତ୍ରା । ଛାମୁଆ ନେତାଙ୍କ ପୋଷ୍ଟର ଲାଗିଥିବା ଏକ ସ୍ବତନ୍ତ୍ର ବସରେ ସବାର ହୋଇ ରାଜ୍ୟ ଭ୍ରମଣରେ ବାହାରିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ଏଣ୍ଡ କୋ। ଆରମ୍ଭ ହେଲା କଂଗ୍ରେସର ଓଡ଼ିଶା ଜାଗରଣ ଯାତ୍ରା । କେନ୍ଦୁଝରର ସମାଜସେବୀ ଦୈତାରୀ ନାଏକ ଭୁବନେଶ୍ୱରରେ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ବସ ପହଞ୍ଚିଛି ବାଲେଶ୍ବରରେ।  ସେଠାରେ ୩ଦିନ ରହି ପୂରା ଜିଲ୍ଲା ବୁଲିବେ ।

୬ ତାରିଖ ଭୁବନେଶ୍ୱର ଫେରି ଆସିବ ଏବଂ ନିର୍ବାଚନ ପୂର୍ବରୁ ସବୁ ଜିଲ୍ଲା ବୁଲିବାକୁ ଲକ୍ଷ୍ୟ ରଖା ଯାଇଛି । ସେପଟେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଏ ଯାତ୍ରା କିଛି ବି ପ୍ରଭାବ ରହିବ ନାହିଁ ।

ଗଲା ୪ଟି ନିର୍ବାଚନରେ ମାଟି କାମୁଡ଼ିଥିବା କଂଗ୍ରେସ ନୂଆ ଷ୍ଟ୍ରାଟେଜୀରେ ବସରେ ଜାଗରଣ ଯାତ୍ରା କରିଛି । ତେବେ ବସ ସିନା ଗଡ଼ିଛି ହେଲେ ଲୋକଙ୍କ ଭୋଟ କଂଗ୍ରେସ ବସ୍ରେ ରହିବ କି ନାହିଁ ତାହା ନିର୍ବାଚନ କହିବ।