ନଭେମ୍ବର ସୁଦ୍ଧା ୧୪୭ଟି ଆସନରେ ଚୂଡ଼ାନ୍ତ ପ୍ରାର୍ଥୀତାଲିକା ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର : ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସ ଦଳ ଓଡ଼ିଶାର ସମସ୍ତ ୧୪୭ଟି ଆସନରେ ତାହାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ । ପୂର୍ବ ସୂଚନା ମୁତାବକ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୫୦ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ପରେ ପର୍ଯ୍ୟାୟକ୍ରମେ ଅର୍ଥାତ୍ ନଭେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ ନିର୍ବାଚନର ଏତେ ପୂର୍ବରୁ ପ୍ରାର୍ଥୀ ଚୟନ କରିବା ଦଳ ପାଇଁ ଲାଭ କି କ୍ଷତି ହେବ ସେ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ନିରଞ୍ଜନ କହିଥିଲେ କି ଲାଭ କ୍ଷତି କଥା ଅଲଗା । କିନ୍ତୁ ବର୍ତ୍ତମାନ ସମୟରେ କଂଗ୍ରେସ ଦଳ ଯେଉଁ ଷ୍ଟ୍ରାଟେଜିରେ ଚାଲୁଛି ଏଥିରୁ ଲାଗୁଛି କି ନିଶ୍ଚିତ ଭାବେ ଲାଭ ହେବ ।

ତେବେ ଅନ୍ୟ ବିରୋଧୀ ଦଳଗୁଡ଼ିକ ତୁଳନାରେ କଂଗ୍ରେସ ବେଶ୍ ଆଗରୁ ପ୍ରାର୍ଥୀ ଘୋଷଣା କରିବା ଦ୍ୱାରା ଅନ୍ୟ ଦଳର ନେତାମାନେ ସତର୍କ ହୋଇଯିବା ନିଶ୍ଚିତ । ଏଥିସହ ସେମାନେ ଆମ ପ୍ରାର୍ଥୀଙ୍କ ବିରୋଧରେ ଷଡ଼ଯନ୍ତ୍ର ମଧ୍ୟ କରିପାରନ୍ତି । କିନ୍ତୁ ଆଗୁଆ ପ୍ରାର୍ଥୀ ଘୋଷଣା ହେଲେ କଂଗ୍ରେସ ନେତାମାନେ ନିର୍ବାଚନ ମଣ୍ଡଳୀରେ ହିଁ ସମୟ ଅତିବାହିତ କରିବେ । ଏଥିସହ ସେମାନଙ୍କୁ ଅଧିକରୁ ଅଧିକ ସମୟ ମିଳିବ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ମିଶିବା ପାଇଁ । ତେବେ ଯେଉଁମାନଙ୍କୁ ଦଳ ପ୍ରାର୍ଥୀ କରିବ ସେମାନଙ୍କ ସାଂଗଠନିକ ଦକ୍ଷତାକୁ ତନ୍ନତନ୍ନ କରି ପରଖାଯିବ । ପରେ ସେମାନେ ପ୍ରାର୍ଥୀ ହେବେ କି ନାହିଁ ତାହା ପ୍ରଦେଶ ଇଲେକ୍ସନ କମିଟି (ପିଇସି) ନିଷ୍ପତ୍ତି ନେବ । ଚୂଡ଼ାନ୍ତ ମୋହର ପାଇଁ ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପ୍ରାର୍ଥୀ ତାଲିକା ପଠାଯିବ ।

ଏଆଇସିସିରୁ ଅନୁମତି ମିଳିବା ପରେ କେଉଁମାନେ ବିଧାନସଭାରେ ପ୍ରାର୍ଥୀ ହେବେ ସେ ନେଇ ଚୂଡ଼ାନ୍ତ ତାଲିକା ଗଣମାଧ୍ୟମକୁ ଦିଆଯିବ ବୋଲି ନିରଞ୍ଜନ ଆଜି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବ ନିର୍ବାଚନ ଗୁଡ଼ିକରେ କଂଗ୍ରେସ ଯେଉଁ ଭୁଲ କରିଥିଲା ତାହା ଯେପରି ଦୋହରା ନଯାଏ ସେଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ଏସବୁ ମଧ୍ୟରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ନିର୍ବାଚନରେ କଂଗ୍ରେସ ୫୦ ଜଣ ପ୍ରାର୍ଥୀଙ୍କୁ ନୂଆମୁହଁ ଭାବେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବ । ସେମାନଙ୍କ ମଧ୍ୟରେ ଯୁବକଙ୍କ ସଂଖ୍ୟା ଅଧିକ ରହିବ । ସେହିପରି ମହିଳାମାନଙ୍କୁ ମଧ୍ୟ ଦଳ ପକ୍ଷରୁ ଗୁରୁତ୍ୱ ଦିଆଯିବା ସହ ସାଂଗଠନିକ ଦକ୍ଷତା ଥିବା ମହିଳାଙ୍କୁ ବିଧାନସଭା ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରାଯିବ ବୋଲି ଜଣାପଡ଼ିଛି ।