ପିଠା କଳି : ୨୬ରେ କଂଗ୍ରେସ ପାଳିବ କଳାଦିବସ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପିଠା ଯୋଜନାକୁ ନେଇ ରାଜନୈତିକ କଳି ଆରମ୍ଭ ହୋଇଛି । ସରକାରଙ୍କୁ ସମାଲୋଚନା କରୁଛନ୍ତି ବିରୋଧୀ । ତେବେ ଏହି କ୍ରମରେ ଆଗକୁ ଆସିଛି କଂଗ୍ରେସ । ସଂପ୍ରତି ରାଜ୍ୟ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦୁର୍ବଳ ଏବଂ ଶକ୍ତିହୀନ କରିଦେଇଛନ୍ତି । ଆମ ଗାଁ ଆମ ବିକାଶ ଓ ପିଠା କାର୍ଯ୍ୟକ୍ରମ ଦ୍ୱାରା ପଞ୍ଚାୟତ ପ୍ରତିନିଧିମାନଙ୍କର ଭୂମିକା ଗୌଣ ହୋଉଥିବାରୁ ଏହା ପଞ୍ଚାୟତ ବ୍ୟବସ୍ଥାର ପରିପନ୍ଥୀ ବୋଲି ପିସିସି ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ।

ଦଳୀୟ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଲେ ଯେ ଏହା ବିରୋଧରେ ସମଗ୍ର ରାଜ୍ୟରେ ଆସନ୍ତା ୨୬ରେ କଂଗ୍ରେସ କଳାଦିବସ ପାଳନ କରିବ । ଆମ ଗାଁ ଆମ ବିକାଶ ଓ ପିଠା କାର୍ଯ୍ୟକ୍ରମରେ ଗ୍ରାମସଭା, ପଞ୍ଚାୟତ ଅନୁଷ୍ଠାନ, ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅବମାନନା କରାଯାଉଛି । ପଞ୍ଚାୟତ ପ୍ରତିନିଧିମାନଙ୍କୁ ଏଥିରେ ସଂଶ୍ଳିଷ୍ଟ ନକରିବା ଏବଂ ସେମାନଙ୍କୁ ବିଶ୍ୱାସକୁ ନେଇ ଦାୟିତ୍ୱ ନଦେବା ପଞ୍ଚାୟତ ବ୍ୟବସ୍ଥା ପ୍ରତି କେବଳ ଅସମ୍ମାନ ନୁହେଁ, ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ ପ୍ରତି କୁଠାରଘାତ । ଗ୍ରାମାଞ୍ଚଳ ବିକାଶ ପ୍ରକ୍ରିୟାରେ ପଞ୍ଚାୟତ ବ୍ୟବସ୍ଥା ଏବଂ ପଞ୍ଚାୟତ ପ୍ରତିନିଧିମାନେ ହେଉଛନ୍ତି ମୂଳ ଉପାଦାନ । ଏଥିପତି ଅବହେଳା ଏବଂ ଅଣଦେଖାର ଅର୍ଥ ହେଉଛି ବିକାଶ ପ୍ରକ୍ରିୟା ପ୍ରତି ତାଚ୍ଛଲ୍ୟ । ଏହି ହୀନଚକ୍ରାନ୍ତ କବଳରୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଗତ ୬ ରେ ରାଜ୍ୟସ୍ତରୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା ।

ଏହି ସମ୍ମିଳନୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ୨୬କୁ କଳାଦିବସ ଭାବରେ ପାଳନ ପାଇଁ ଆହ୍ୱାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପଞ୍ଚାୟତ ସଭ୍ୟ ସଭ୍ୟା ମହାସଂଘ ସମର୍ଥନ ଜଣାଇଛି । ଏହି ଦିନ ପଞ୍ଚାୟତ ଅଫିସଗୁଡ଼ିରେ କଳାପତାକା ଉଡ଼ାଇବା, ପଞ୍ଚାୟତ ପ୍ରତିନିଧିମାନେ କଳାବ୍ୟାଜ ପିନ୍ଧିବା, ପଞ୍ଚାୟତ ସମିତି ଅଫିସ୍ ସମ୍ମୁଖରେ ବିକ୍ଷୋଭ ଆୟୋଜନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ଓ ରାଜ୍ୟ ପଞ୍ଚାୟତ ସଭ୍ୟ ସଭ୍ୟା ମହାସଂଘ ଆହ୍ୱାନ ଦେଇଛି । ଉପରୋକ୍ତ ଦାବି ସମ୍ପର୍କରେ ପଞ୍ଚାୟତ ପ୍ରତିନିଧିମାନେ ପ୍ରଚାର କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପଠାଇବା ପାଇଁ ପିସିସି ପକ୍ଷରୁ ଅନୁରୋଧ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସୋନାଲି ସାହୁ, ହିମାଂଶୁ ଲେଙ୍କାଙ୍କ ସମେତ ରାଜ୍ୟ ସମିତି ସଭ୍ୟ ସଭ୍ୟା ମହାସଂଘର କାର୍ଯ୍ୟକାରୀ ସଭାପତି ଗୋପବନ୍ଧୁ ସ୍ୱାଇଁ, ବିଷ୍ଣୁପ୍ରିୟା ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।