ଭାରତ ବନ୍ଦରେ କଂଗ୍ରେସର ଅସ୍ତ୍ର ଗୋଲାପ ଓ ଠେଙ୍ଗା: ୯ ଘଣ୍ଟା ସାରା ଓଡିଶାରେ ଚକା ଜାମ୍ ,ଜୀବନ ଯାତ୍ରା ପ୍ରଭାବିତ

ଭୁବନେଶ୍ବର : ଓଡ଼ିଶାରେ ମଧ୍ୟ ଭାରତ ବନ୍ଦ ସଫଳ କରିବାକୁ ଭରପୁର ଚେଷ୍ଟା କରିଥିଲା କଂଗ୍ରେସ । ତେଲ ଦର ବୃଦ୍ଧି ପ୍ରତିବାଦରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ  ରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ ନେତା ଆଉ କର୍ମୀ । ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବାକୁ ଦଳୀୟ କର୍ମୀଙ୍କୁ ଦଳ ସଭାପତି ଆହ୍ବାନ ଦେଇଥିଲେ ମଧ୍ୟ କିଛି ସ୍ଥାନରେ ଅପ୍ରିତିକର ପରିସ୍ଥିତି କଂଗ୍ରେସ କର୍ମୀଙ୍କ ଆଚରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । କେନ୍ଦ୍ର ସରକାର ଏକ୍ସାସାଇଜ ଡ୍ୟୁଟି ଏବଂ ରାଜ୍ୟ ସରକାର ଭ୍ୟାଟ୍‌ କମାଇବାକୁ ଦାବି କରଛି କଂଗ୍ରେସ ।

କେଉଁଠି ନେତାଙ୍କ ହାତରେ ନାଲି ଗୋଲାପ ତ ଆଉ କେଉଁଠି କର୍ମୀଙ୍କ ହାତରେ ଥିଲା ଠେଙ୍ଗାବାଡ଼ି । ତେଲ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଡାକରା ଦେଇଥିଲା କଂଗ୍ରେସ ।  ସକାଳ ୬ରୁ ଦିନ ୩ ପର୍ଯ୍ୟନ୍ତ  ସବୁ ଛକରେ ପିକେଟିଂ କରିଥିଲେ କଂଗ୍ରେସ କର୍ମୀ ।  ଭୁବନେଶ୍ବର ଏଜି ଛକରେ କଂଗ୍ରେସ ବିଧାୟକମାନେ ଡେରା ପକାଇଥିବାବେଳେ ଶୋଭାଯାତ୍ରାରେ ବାହାରିଥିଲେ  ବିରୋଧୀ ଦଳ ନେତା ନରସିଂହ ମିଶ୍ର ।  ସେପଟେ ମାଷ୍ଟର କ୍ୟାଣ୍ଟିନରେ ଗୋଲାପ ଫୁଲ ବାଣ୍ଟି ଜନସାଧାରଣଙ୍କୁ ସମର୍ଥନ ମାଗୁଥିଲେ ପିସିସି ସଭାପତି । ଠାକୁ ଠା ପୋଲିସ ପହଞ୍ଚି କଂଗ୍ରେସ ନେତା ଓ କର୍ମୀଙ୍କୁ ଗିରଫ କରିଥିଲା ପୋଲିସ ।

ପିସିସି ସଭାପତି ଶାନ୍ତି ଶୃଙ୍ଖଳାର ସହିତ ଅନ୍ଦୋଳନ କରିବାକୁ ଆହ୍ପନ ଦେଇଥିଲେ। ହେଲେ କିଛି ଯାଗାରେ କଂଗ୍ରେସ କର୍ମୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଥିଲା । ରାସ୍ତାରେ ସାଧରଣ ଲୋକଙ୍କୁ ଠେଙ୍ଗାବାଡ଼ି ଧରି ଗୋଡାଉଥିଲେ ଆନ୍ଦୋଳନକାରୀ ।ସମ୍ବଲପୁର ଓ ନବରଙ୍ଗପୁର ଜିଲ୍ଲାପାଳ ଅଫିସରେ ବଳପୂର୍ବକ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ କଂଗ୍ରେସ କର୍ମୀ । କାକାଟପୁରରେ ମଧ୍ୟ ତହସିଲ ଅଫସି ଗେଟଭାଙ୍ଗି ଦେଇଥିଲେ । ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି କହିଥିଲେ କଂଗ୍ରେସର ବଡ଼ ନେତା । ପିସିସି ପକ୍ଷରୁ କାର୍ଯ୍ୟକାରୀ ସଭାପତିଙ୍କ ଅଧ୍ୟକ୍ଷତାରେ ଏସବୁର ଯାଂଚ ପାଇଁ  ୩ ଜଣିଆ କମିଟି ଗଠନ କରାଯାଇଛି ।

କଂଗ୍ରେସର ଏଭଳି ଭାରତ ବନ୍ଦକୁ ରାଜ୍ୟ ବିଜେପି ସମାଲୋଚନା କରିଛି । ବନ୍ଦକୁ ସଫଳ କରିବାକୁ ବିଜେଡି ଓ କଂଗ୍ରେସ ମିଳିତ ଉଦ୍ୟମ କରିଛନ୍ତି ବୋଲି ଯୁକ୍ତି ବାଢ଼ିଥିଲା ବିଜେପି । ହେଲେ ଏହାର ଜବାବରେ  ବିଜେଡି ଯୁକ୍ତି,

ଭାରତ ବନ୍ଦକୁ ବିଜେଡି  ସମର୍ଥନ କରିନି  କିନ୍ତୁ ତେଲ ଦର ବୃଦ୍ଧି ପାଇଁ ଲୋକ ଯେଭଳି ଭାବେ ହିନସ୍ତା ହେଉଛନ୍ତି,  ସେଥିପାଇଁ ଲୋକଙ୍କ ସପକ୍ଷରେ ବିଜେଡି ରହିଛି ।

କଂଗ୍ରେସ ଭାରତ ବନ୍ଦ ଡାକରା ସଫଳ ହୋଇଥିବା କଂଗ୍ରେସ ଦାବି କରିଛି।  ଏଥି ସହ ତେଲ ବାହାନାରେ ବିରୋଧୀଙ୍କ ଏକାଠି କରି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ମଧ୍ୟ ଚେଷ୍ଟା କରିଛି ଦଳ ।