ବିୟର ବଟଲିଂ କାରଖାନା ପାଇଁ ଗଛକଟାର ଆର୍ଡିସି ତଦନ୍ତ ହେବ

ଢେଙ୍କାନାଳ: ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଳରାମପୁର ଝିଙ୍କରଗାଡ଼ିରେ ବିୟର ବଟଲିଂ କାରଖାନା ପାଇଁ ଶୁକ୍ରବାର ହୋଇଥିବା ଗଛକଟା ଘଟଣାର ଆର୍ଡିସିସ୍ତରୀୟ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଯୋଗୁଁ ଏହି ତଦନ୍ତ ନିର୍ଦ୍ଦେଶ ଦେଇ ଗଛକଟା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନକୁ କହିଛନ୍ତି । ଶୁକ୍ରବାର ଏହି ବିୟର ଫ୍ୟାକ୍ଟ୍ରି ପାଇଁ ପୁଲିସ ଓ ଜିଲ୍ଲା ପ୍ରଶାସନ ୯୫୮ ମୂଲ୍ୟବାନ ଗଛ କାଟି ପକାଇଥିଲେ । ଗଛକଟାକୁ ବିରୋଧ କରିବାରୁ ପୁଲିସ ୧୩ ଜଣଙ୍କୁ ଗିରଫ କରିଥିଲା । ଚଳିତ ମାସ ୩ ତାରିଖରେ ମୁଖ୍ୟମନ୍ତ୍ରୀ ସଚିବାଳୟରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଳରାମପୁର ଝିଙ୍କରଗାଡ଼ିରେ ଏକ ବିୟର ବଟିଲିଂ କାରଖାନାର ଶିଳାନ୍ୟାସ କରିଥିଲେ । ]

ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ କାର୍ଯ୍ୟକ୍ରମରେ ଏହି କାରଖାନା ଓଡ଼ିଶାରେ ହେବ ବୋଲି ପୂର୍ବରୁ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ନଭେମ୍ବର ୮ରୁ କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା କଥା । କିନ୍ତୁ ସେଦିନ ସ୍ଥାନୀୟ ମହିଳାମାନେ ଗଛକୁ କୁଣ୍ଢେଇ ପ୍ରତିବାଦ କରିବାରୁ ପ୍ରଶାସନ ଗଛ ନକାଟି ଫେରି ଯାଇଥିଲା । ପ୍ରକଳ୍ପ ପ୍ରସ୍ତାବ ଦିନରୁ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରି ଆସୁଛନ୍ତି । ସେମାନଙ୍କ ମତରେ ସେଠାରେ ୧୧୬ ପ୍ରକାରର ଔଷଧୀୟ ବୃକ୍ଷ ସହିତ ଅନେକ ମୂଲ୍ୟବାନ ଶାଳ, ପିଆଶାଳ, ଶାଗୁଆନ, ହରିଡ଼ା, ବାହାଡ଼ା ଓ ଅଁଳା ଗଛ ରହିଛି । ଏହାକୁ ସରକାର କାଟିଦେଲେ ସ୍ଥାନୀୟ ଅଞ୍ଚଳର ପରିବେଶ ଓ ପରିବେଷ୍ଟନୀ ଧ୍ୱଂସ ହେବା ସହିତ ଅନେକ ଲୋକଙ୍କର ଜୀବିକା ଉଜୁଡ଼ିଯିବ । ତଥାପି ସରକାରୀ କଳ ଶୁକ୍ରବାର ଲୋକଙ୍କ ବିରୋଧକୁ ଦମନ କରିବା ସହିତ ଜୋରଜବରଦସ୍ତ ମେସିନ୍ ଲଗାଇ ବହୁ ଗଛ କାଟି ଦେଇଥିଲେ ।

ସାମାଜିକ ଗଣମାଧ୍ୟମରେ ଏ ଘଟଣାର ପ୍ରତିବାଦ ଭାଇରାଲ ହେବା ପରେ ବିରୋଧୀ ଦଳର ନେତାମାନେ ଶୁକ୍ରବାର ବିଧାନସଭାରେ ଏ ନେଇ ସ୍ୱର ଉତ୍ତୋଳନ କରିଥିଲେ । ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ସରକାର ନଦୀପଠାରେ ଗଛ ଲଗାଇ ସବୁଜ ବଳୟ ସୃଷ୍ଟି କରିବାକୁ ଘୋଷଣା କରୁଥିବାବେଳେ ମଦ ଫ୍ୟାକ୍ଟ୍ରି ପାଇଁ ସବୁଜ ବଳୟ ଧ୍ୱଂସ କରୁଛନ୍ତି । ଏହା ସରକାରଙ୍କ ଦୋ ମୁହାଁ ନୀତିର ସ୍ପଷ୍ଟ ପରିଚାୟକ । ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହାର ପ୍ରତିବାଦ କରିବା ସହିତ ଗଛକାଟି ମଦ କାରଖାନା ବସାଇବା ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଥିଲେ । ତେବେ ସେମାନଙ୍କ ପ୍ରତିବାଦକୁ ଗ୍ରହଣ ନକରି ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ ଯେ ଯେତେ ଗଛକଟା ହୋଇଛି ତାହାର ଦୁଇଗୁଣ ଗଛ ଲଗାଯିବ । ଏହା ସତ୍ତେ୍ୱ ପରିବେଶବିତ୍ ଓ ମଦ ବିରୋଧୀ କର୍ମୀମାନେ ଏହି ଘଟଣା ବିରୋଧରେ ଆନ୍ଦୋଳନ ଜୋରଦାର କରିବାକୁ ନିଷ୍ପତ୍ତି ନେଇଥିଲେ । ଆଜି ଲୋକମାନେ କଟା ଯାଇଥିବା ଗଛଗୁଡ଼ିକ ପାଇଁ କ୍ରିୟାକର୍ମ କରିବା ସହିତ ସଂକୀର୍ତ୍ତନ ଶୋଭାଯାତ୍ରା ବାହାର କରିଥିଲେ ।

ପରିବେଶବିତ୍, ମଦ ବିରୋଧୀ ଆନ୍ଦୋଳନର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ସରକାରଙ୍କ ମଦପ୍ରୀତି ଓ ପରିବେଶ ବିରୋଧୀ କାର୍ଯ୍ୟକ୍ରମର ତୀବ୍ର ନିନ୍ଦା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସ୍ୱାଗତ କରିଥିଲେ ବି ଗଛକଟା ନେଇ ସ୍ପଷ୍ଟ ପ୍ରମାଣ ଥିବାରୁ ସେ ଜିଲ୍ଲାପାଳଙ୍କୁ ଫୋନ୍ କରି ସବୁ ତଥ୍ୟ ହାସଲ କରିପାରିଥାନ୍ତେ ବୋଲି କହିଛନ୍ତି । ବିଜେପି କହିଛି ଗଛକଟା ସରିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯିବା ଧର୍ମକୁ ଆଖିଠାର ମାତ୍ର । ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି ତଦନ୍ତ ନିର୍ଦ୍ଦେଶ ଦେଲେ କ’ଣ କଟା ଯାଇଥିବା ଗଛ ଠିଆ ହୋଇଯିବ? ସୂଚନାଯୋଗ୍ୟ ଯେ ମଦ କମ୍ପାନୀକୁ ଦିଆଯାଇଥିବା ୧୨ ଏକର ଜମିରେ ୧୩୦୦ରୁ ଅଧିକ ଗଛ ଥିଲା । ସେଥିରୁ ୯୫୮ ଗଛ ଗତକାଲି କଟାଯିବା ପରେ ଅବଶିଷ୍ଟ ଗଛ ଆଜି କଟା ହୋଇଥା’ନ୍ତା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ଗଛକଟା କାମ ବନ୍ଦ ରହିଛ