ଜଗାବଳିଆଙ୍କ ଚିକିତ୍ସା ଏମ୍ସରେ ଜାରି ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗାବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି । ଜଗା-ବଳିଆ ସମ୍ପୂର୍ଣ୍ଣ ଠିକ୍ ହୋଇନଥିବାରୁ ସେମାନଙ୍କ ଚିକିତ୍ସା ନୂଆଦିଲ୍ଲୀର ଏମ୍ସରେ ଜାରି ରଖିବାକୁ ନବୀନ ଚିଠିରେ ଅନୁରୋଧ କରିଛନ୍ତି । ସେ ଲେଖିଛନ୍ତି, ଯେପର୍ଯ୍ୟନ୍ତ ଜଗା ବଳିଆ ସମ୍ପୂର୍ଣ୍ଣ ଠିକ୍ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କର ଚିକିତ୍ସା କରାଯାଉ । ଉଭୟଙ୍କର ଚିକିତ୍ସା ଖର୍ଚ୍ଚ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଦିଲ୍ଲୀ ଏମ୍ସରେ ସ୍ୱତନ୍ତ୍ର ଟିମ୍ ସେମାନଙ୍କର ଅତ୍ସୋପଚାର କରିଥିଲେ । ଯେଉଁଥିପାଇ କନ୍ଧମାଳର ଏହି ଦୁଇ ଶିଶୁଙ୍କ ଯୋଡ଼ା ମୁଣ୍ଡ ଅଲଗା ହୋଇପାରିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ନିୟମିତ ଭାବେ ବିଶେଷଜ୍ଞ ଦଳ ପଠାଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ଅନୁଧ୍ୟାନ କରାଯାଉଛି । ଏହି ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧାର ଆସିଛି, କିନ୍ତୁ ବିଶେଷଜ୍ଞଙ୍କ ମତ ଅନୁଯାୟୀ ସେମାନେ ସମ୍ପୂର୍ଣ୍ଣ ସ୍ୁସ୍ଥ ହୋଇନାହାନ୍ତି । ରାଜ୍ୟରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଉପଲବ୍ଧ ରହିଛି, ଯାହାକି ଏହି ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ନୁହେଁ । ତେଣୁ କେନ୍ଦ୍ରମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଦୁଇ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏ ଚିକିତ୍ସା ଜାରି ରଖିବାକୁ ଚିଠିରେ ଅନୁରୋଧ କରିଛନ୍ତି ।