ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତଖେପ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକ । ମହିଳା ସଂରକ୍ଷଣ ବିଲ ପାରିତ ପାଇଁ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିବାକୁ ଗତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସଂକଳ୍ପ ଆଗତ କରିଥିଲେ । ସର୍ବସମ୍ମତିକ୍ରମେ ବିଧାନସଭାରେ ଏହା ପାରିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି, ମହିଳାମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ । ମହିଳାଙ୍କ ସଶକ୍ତ ବିନା ଦେଶ ଆଗେଇ ପାରିବ ନାହିଁ । ସମ୍ବିଧାନରେ ଲିଙ୍ଗଗତ ସମାନତା ନୀତି ରହିଛି । ତେଣୁ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବିଲ୍ ସଂସଦରେ ପାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନେତୃତ୍ୱ ନିଅନ୍ତୁ ବୋଲି ଚିଠିରେ ଅନୁରୋଧ କରିଛନ୍ତି । ମହିଳା ଶସକ୍ତିକରଣରେ ଅଗ୍ରଣୀ ଭୂମିକାରେ ନେଇଥିବା ଦିବଂଗତ ନେତାଙ୍କୁ ଚିଠି ଜରିଆରେ ମନେ ପକାଇଛନ୍ତି ନବୀନ । କହିଛନ୍ତି, ସ୍ୱର୍ଗତ ବିଜୁବାବୁ ୯୦ ଦଶକରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ମହିଳାଙ୍କ ପାଇଁ ପଞ୍ଚାୟତ ଓ ପୌରସଂସ୍ଥାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ନିଷ୍ପତ୍ତି ନେଇଥିଲେ । ୨୦୧୫ ମସିହାରେ ରାଜ୍ୟ ସରକାର ଏହାକୁ ୫୦ ପ୍ରତିଶତ ବୃଦ୍ଧି କରିଥିଲେ ।

ଏହି ନିଷ୍ପତ୍ତି ଯୋଗୁଁ ମହିଳାମାନେ ରାଜ୍ୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିପାରିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀ ସବୁବେଳେ ସମାନତା ଓ ମହିଳା ଶସକ୍ତିକରଣ କଥା କହୁଥିଲେ । ତେଣୁ ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ସ୍ୱରୁପ ଏହି ଐତିହାସିକ ନିଷ୍ପତ୍ତି ନିଆଗଲେ ସ୍ମରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।