ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର : ମହିଳାଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩% ସ୍ଥାନ ସଂରକ୍ଷଣ ପାଇଁ ସମର୍ଥନ ଲୋଡି ଜାତୀୟ ସ୍ତରକୁ ଯାଇଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ସହାୟତା ଲୋଡ଼ିଛନ୍ତି ।

ଗୁରୁବାର ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପଟ୍ଟନାୟକ ଚିଠି ଲେଖିଛନ୍ତି । ବିଧାନସଭାରେ ସଂକଳ୍ପ ପାରିତ କରାଇବା ପରେ ପ୍ରଥମେ ସେ ପ୍ରଧାନମନ୍ତ୍ରୀ ଓ ଏବେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସହାୟତା ଲୋଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି, ଦେଶ ଓ ସମାଜ ଗଠନରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମହିଳାମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ ଏବଂ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ।

ମହିଳାମାନେ ସଶକ୍ତ ନ ହେଲେ କୌଣସି ପରିବାର, କୌଣସି ସମାଜ, କୌଣସି ରାଜ୍ୟ ବା ଦେଶ ଅଗ୍ରଗତି କରିପାରିବ ନାହିଁ । ମୁଖମନ୍ତ୍ରୀ କହିଛନ୍ତି, ରାଜ୍ୟର ଲୋକସଂଖ୍ୟାର ଅଧା ହେଉଛନ୍ତି ମହିଳା । ତେଣୁ ବିକାଶ ପ୍ରକ୍ରିୟା ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କ ଯୋଗଦାନ ଗଣତନ୍ତ୍ରକୁ ଅଧିକ ସୁଦୃଢ କରିବ । ସ୍ୱର୍ଗତ ବିଜୁବାବୁ ୯୦ ଦଶକରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କ ପାଇଁ ପଞ୍ଚାୟତ ଓ ପୌରସଂସ୍ଥା ସମେତ ସରକାରୀ ଚାକିରୀରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିଥିଲା । ଏହି ସଫଳତାକୁ ଦୃଷ୍ଟିରେ ରଖି ୨୦୧୧ରେ ତାଙ୍କ ସରକାର ସଂରକ୍ଷଣକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ସମ୍ବିଧାନରେ ଲିଙ୍ଗଗତ ବୈଷମ ଦୂର କରିବା ଉପରେ ଗୁରୁତ୍ୱ ରହିଥିବାରୁ ସମସ୍ତେ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିବା ଉଚିତ୍ । ଏନେଇ ଓଡ଼ିଶା କ୍ୟାବିନେଟରେ ପ୍ରସ୍ତାବ ଗୃହୀତ ହେବାପରେ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି ।

ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିବା ଦିଗରେ ନେତୃତ୍ୱ ନେଇ ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡ଼ି ସେ ପତ୍ର ଲେଖିଥିବା କଥା ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ମହିଳା ସଶକ୍ତିକରଣକୁ ନୂତନ ମାର୍ଗ ଦେବ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି । ଇତିମଧ୍ୟରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସମର୍ଥନ ଦେଇଥିଲା ସୂଚନା ମିଳିଛି । ଗତ ୪ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବୁଧବାର ନବୀନ ନିବାସରେ ଦଳୀୟ ନେତାଙ୍କ ବୈଠକ ଡାକି ଆଲୋଚନା କରିଥିଲେ । ସଂସଦ ଓ ବିଧାନସଭାରେ ମହିଳା ସଂରକ୍ଷଣ ବିଲ ପାଇଁ ସମର୍ଥନ ଜୁଟାଇବାକୁ ଦେଶର ୨୨ଟି ଦଳକୁ ମନାଇବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏନେଇ ଏକ କମିଟି ଗଠନ କରାଯାଇଥିଲା । ବିଜେଡିର ବିଧାୟକ, ସାଂସଦ ଓ ମନ୍ତ୍ରା ଦେଶର ୨୨ଟି ରାଜନୈତିକ ଦଳକୁ ଭେଟି ମହିଳା ବିଲ୍ ପାସ୍ କରାଇବା ପାଇଁ ସମର୍ଥନ ଯୋଗାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଦାୟିତ୍ୱ ଦେଇଛନ୍ତି