ଓଡ଼ିଶା ବିଶ୍ୱ କପ୍‌ ହକି : ବାରବାଟୀ ଷ୍ଟାଡିୟମ୍‌ରେ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ, ଆକର୍ଷକ ସାଜିଥିଲେ ବଲିଉଡ ଭାଇଜାନ ସଲମାନ୍‌ ଖାନ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ପାଇଁ ଉଦ୍‌ଘାଟନୀ ସମାରୋହ ପରେ ବୁଧବାର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ମଧ୍ୟ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସ୍ୱତନ୍ତ୍ର ଆକର୍ଷକ ସାଜିଥିଲେ ବଲିଉଡ ଭାଇଜାନ ସଲମାନ୍‌ ଖାନ। ମୁଖ୍ୟମନ୍ତ୍ରୀ ନବୀନ ବଲିଉଡ ଅଭିନେତା ସଲମାନଙ୍କୁ ମଂଚ ଉପରେ ସମ୍ବର୍ଦ୍ଧିତ କରିଥିଲେ।

ରଙ୍ଗାରଙ୍ଗ ସାଂସ୍କୃତିକ କାର‌୍ୟ୍ୟକ୍ରମରେ ସୁପରଷ୍ଟାର ସଲମାନଙ୍କୁ ଦେଖି ଦର୍ଶକ ଉତ୍ସାହିତ ହୋଇଥିଲେ। ସଲମାନ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଫଟୋ ଉଠାଇଛନ୍ତି। ଖୁସିରେ ସଲମାନ କହିଛନ୍ତି, ପ୍ରଥମ ଥର ଓଡ଼ିଶା ଆସିଛି, ଏଭଳି ଆତିଥେୟତା ଭାବି ନଥିଲି। ଏଥି ପାଇଁ ଓଡ଼ିଶାକୁ ଧନ୍ୟବାଦ ଜଣାଉଛି। ସେ କହିଛନ୍ତି ଏଠାକାର ଭାଇ ଚାରା ବହୁତ ଭଲ। ସମସ୍ତେ ଏଭଳି ରହିବା ଉଚିତ। ସବୁଠାରୁ ବଡ଼ କଥା ଯେ, ସଲମାନ ଓଡ଼ିଆରେ ଶ୍ରୀଜଗନ୍ନାଥ କହି ଭାଷଣ ଶେଷ କରିଛନ୍ତି।
ସଲମାନ କଟକର ଦହିବରା ଆଳୁଦମକୁ ବହୁ ପ୍ରଶଂସା କରିଛନ୍ତି। ବାରବାଟୀ ଷ୍ଟାଡିୟମ ମଂଚରେ ସେ ୩୫ ହଜାର ଦର୍ଶକଙ୍କ ସମ୍ମୁଖରେ କଟକ ଦହିବରା ଖାଇବା କଥା କହିଛନ୍ତି। ଗରମ ଗରମ ଆଳୁଦମକୁ ଦହିବରାର ମଜା ଯିଏ ଖାଇଛି ସିଏ ଜାଣିଛି।