ମୋଦ ବୋଧହୁଏ ସ୍କିଲ ଇଣ୍ଡିଆ ଓ ଉଜ୍ଜ୍ୱଳା କାର୍ଯ୍ୟକ୍ରମ ସଂପର୍କରେ ସେ ଏପରି ମନ୍ତବ୍ୟ ଦେଇଥିବେ -ନବୀନ

ଭୁବନେଶ୍ୱର : ଓଡ଼ିଶା ସରକାରର ସବୁ ସ୍ତରରେ ଦୁର୍ନୀତି ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ମନ୍ତବ୍ୟ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସେ ବୋଧହୁଏ ବିଜେପି କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏପରି କହିଥିବେ । ନହେଲେ ବୋଧହୁଏ ସ୍କିଲ ଇଣ୍ଡିଆ ଓ ଉଜ୍ଜ୍ୱଳା କାର୍ଯ୍ୟକ୍ରମ ସଂପର୍କରେ ସେ ଏପରି ମନ୍ତବ୍ୟ ଦେଇଥିବେ ବୋଲି ମୁଖ୍ୟମନ୍ତ୍ରୀ ବ୍ୟଙ୍ଗୋକ୍ତି କରିଛନ୍ତି । ଝାରସୁଗୁଡ଼ା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ ଏଠି ପ୍ରତି ସ୍ତରରେ ଦୁର୍ନୀତି ଚାଲିଛି ।

ପିସି ବା ପର୍ସେଣ୍ଟ କମିଶନ ଓ ନିଷ୍ପତ୍ତି ନେବାରେ ହେଉଥିବା ବିଳମ୍ବ ଯୋଗୁଁ ରାଜ୍ୟର ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକଙ୍କର ଦୃଷ୍ଟି ଆକର୍ଷଣ କରାଯିବାରୁ ତାଙ୍କର ପ୍ରଥମ ପ୍ରତିକ୍ରିୟା ଥିଲା, ସେ ଏପରି କହିଥିଲେ କି? ତା’ ପରେ ସେ କହିଛନ୍ତି ଯେ ସେ ବୋଧହୁଏ ତାଙ୍କ ବିଜେପି କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏପରି କହିଥିବେ । ଏହା ସହିତ ସେ ଯୋଡ଼ିଥିଲେ ଯେ ଏ କଥା କହିବାବେଳେ ସେ ବୋଧହୁଏ ଦକ୍ଷତା ମିଶନ ଓ ଉଜ୍ଜ୍ୱଳା ବିଷୟ ଭାବୁଥିବେ । ଅନ୍ୟ ଏକ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ । ଏଥିଯୋଗୁଁ ସାଧାରଣ ଲୋକଙ୍କ ଯନ୍ତ୍ରଣା ବଢ଼ି ଯାଇଛି ।

ଆୟୁଷ୍ମାନ ଭାରତରେ ଓଡ଼ିଶା ସାମିଲ ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଛନ୍ତି ସେ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେନ୍ଦ୍ରର ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମଠାରୁ ଯଥେଷ୍ଟ ଭଲ । ଓଡ଼ିଶା କାର୍ଯ୍ୟକ୍ରମରେ ଅଧିକ ୫୦ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଛି । ତା’ଛଡ଼ା କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ମହିଳାଙ୍କ ପାଇଁ ୫ ଲକ୍ଷ ଟଙ୍କା ସହାୟତା ବ୍ୟବସ୍ଥା ଥିଲାବେଳେ ଓଡ଼ିଶା କାର୍ଯ୍ୟକ୍ରମରେ ୭ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି । ରବିବାର ପ୍ରଧାନମନ୍ତ୍ରୀ ମୋଦି ଝାଡ଼ଖଣ୍ଡରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର ପ୍ରାୟ ୧୦ କୋଟି ପରିବାରକୁ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ ।

ଦେଶର ଅନେକ ରାଜ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲାବେଳେ ଓଡ଼ିଶା ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶା ସରକାର ନିଜ ଖର୍ଚ୍ଚରେ ଅଧିକ ୨୫ ଲକ୍ଷ ଲୋକଙ୍କୁ ଏହି ସୁବିଧା ଯୋଗାଉଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖାଦ୍ୟ ନିରାପତ୍ତା ଯୋଜନାରେ ଲୋକମାନେ ଯେଉଁ ଟଙ୍କିକିଆ ଚାଉଳ ପାଉଛନ୍ତି ସେ ବାବଦରେ କିଲୋ ପିଛା କେନ୍ଦ୍ର ସରକାର ୨୫ରୁ ୩୦ ଟଙ୍କା ଅନୁଦାନ ଦେଉଛନ୍ତି ।