ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଆଜିଠାରୁ ଆରମ୍ଭ କରିଛନ୍ତି ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା। ଭୁବନେଶ୍ବରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିବା ବେଳେ ହିତାଧିକାରୀଙ୍କ ସହିତ ସିଧାସଳଖ କଥା ହୋଇଛନ୍ତି। ସେପଟେ ବିରୋଧୀ ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।
ଗାନ୍ଧି ଜୟନ୍ତିରେ ରାଜ୍ୟ ସରକାର ଆଜି ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଣଙ୍କ ପିଛା ଏଣିକି ୧ ଟଙ୍କାରେ କିଲେ, ଏମିତି ୫ କିଲୋ ଚାଉଳ ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡିଥିବା ୩୪ ଲକ୍ଷ ୪୪ ହଜାର ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ । ପ୍ରଥମେ ୬ ମାସ ଭିତରେ ୨୫ ଲକ୍ଷ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଁଚାଇବାକୁ ଲକ୍ଷ୍ୟ ଧାର‌୍ୟ୍ୟ ହୋଇଥିବା ବେଳେ ଏବେ ୧୮ ଲକ୍ଷ ଚିହ୍ନଟ ହୋଇସାରିଛନ୍ତି । ୧୦ ତାରିଖ ସୁଦ୍ଧା ଆଉ ୭ ଲକ୍ଷ ଚିହ୍ନଟ କରାଯିବ।

ଏହି ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରକୃତ ହିତାଧିକାରୀ ଉପକୃତ ନହୋଇ ଅନେକ ଦଳୀୟ ଲୋକ ସୁବିଧା ନେଇଛନ୍ତି । ଏହା ସହିତ ଏହି ଯୋଜନା ପାଇଁ ଅର୍ଥ ବରାଦ ନାହିଁ କି ରାଜ୍ୟର ଋଣ ଭାର ବି କମ୍ ନାହିଁ । ତେଣୁ କିଭଳି ଏହି ଯୋଜନା ରାଜ୍ୟ ଲାଗୁ କରାଯିବ ବୋଲି ବିରୋଧି ପ୍ରଶ୍ନ କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେନ୍ଦ୍ର ଓଡ଼ିଶାକୁ ମାସକୁ ଦେଉଛି ୪୫୦ କୋଟି ଟଙ୍କା। ଏହି ଯୋଜନାରୁ ବାଦ୍ ପଡ଼ିଯାଉଥିବା ହିତାଧିକାରୀଙ୍କ ଓଡ଼ିଶା ନିଜସ୍ବ ଯୋଜନା କରୁଛି। ଯେଉଁଥିରେ ବର୍ଷକୁ ରାଜ୍ୟ ୪୪୪ କୋଟି ଟଙ୍କା ଖର୍ଚ୍ଚ କରିବ।