ନିତି ଆୟୋଗ ବୈଠକ : ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱର: ଦିଲ୍ଲୀରେ ଅନୁଷ୍ଠିତ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ ଦାବି ଦୋହରାଇଛନ୍ତି । ଏହାସହ ଦେଶରେ ଏକକାଳୀନ ନିର୍ବାଚନ, ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଏବଂ ଜଳସେଚନର ସଦୁପଯୋଗ ମାଧ୍ୟମରେ ଦ୍ୱିତୀୟ ସବୁଜ ବିପ୍ଳବ ନିମନ୍ତେ ସେ ପରାମର୍ଶ ଦେଇଛନ୍ତି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ନିତି ଆୟୋଗର ୫ମ ପରିଚାଳନା ପରିଷଦ ବୈଠକରେ ଓଡ଼ିଶା ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଭିନ୍ନ ଦାବି ଉପସ୍ଥାପନ କରିବା ସହ କିଛି ନୂଆ ପ୍ରସ୍ତାବ ଦେଇଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସଫଳତା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ଦରିଦ୍ର ରାଜ୍ୟ ଭାବେ ପରିଗଣିତ ହୋଇଆସୁଥିବା ଓଡ଼ିଶା ଏକ ଦଶନ୍ଧି ମଧ୍ୟରେ ଦେଶରେ ସର୍ବାଧିକ ଦାରିଦ୍ର‌୍ୟ ହ୍ରାସକାରୀ ରାଜ୍ୟ ଭାବେ ଉଭା ହୋଇଛି । ଧାନ ଓ ଚାଉଳରେ ଅଭାବୀ ରାଜ୍ୟ ଥିବା ଓଡ଼ିଶା ଏବେ ବଳକା ରାଜ୍ୟ ହୋଇପାରିଥିବା ବେଳେ କେନ୍ଦ୍ରୀୟ ପୁଲକୁ ସର୍ବାଧିକ ଯୋଗଦାନ ଦେଉଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ବିଶ୍ୱସ୍ତରୀୟ ମାନଦଣ୍ଡ ନିର୍ଦ୍ଧାରଣ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହାସହ ନବୀନ ନିତି ଆୟୋଗ ପରିଷଦ ସମ୍ମୁଖରେ କିଛି ପ୍ରସ୍ତାବ ରଖିଛନ୍ତି । ସେ କହିଥିଲେ ଯେ ମହିଳା ସଶକ୍ତୀକରଣ ପାଇଁ ସବୁ ଦିଗରେ ମହିଳାଙ୍କୁ ଗୁରୁତ୍ୱ ଦେବା ଆବଶ୍ୟକ । ବାରମ୍ବାର ନିର୍ବାଚନ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ଏକକ ନିର୍ବାଚନ ନେଇ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସେ କହିଛନ୍ତି, ସମସ୍ତ ହିତାଧିକାରୀ କେନ୍ଦ୍ରୀୟ ଯୋଜନାଗୁଡ଼ିକରେ ବିସ୍ତୃତ ଭାବେ ସର୍ଭେର ଆବଶ୍ୟକତା ରହିଛି । ପରିବେଶ ଓ ଆର୍ଥିକ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିମିଶି କାମ କରିବା ଆବଶ୍ୟକ । ପ୍ରଳୟଙ୍କରୀ ବାତ୍ୟା ଫାନି ଯୋଗୁଁ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେଣୁ ପ୍ରକୃତିକ ବିପର୍ଯ୍ୟୟକୁ ମାନଦଣ୍ଡ ଭାବେ ଗ୍ରହଣ କରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ଦେବା ପାଇଁ ଦାବି କରିଛନ୍ତି । ଏହାସହିତ ଯେଉଁ ରାଜ୍ୟଗୁଡ଼ିକ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି, ସେହି ରାଜ୍ୟଗୁଡ଼ିକୁ ନିର୍ଦ୍ଧିଷ୍ଟ ଅବଧି ସ୍ପେଶାଲ ଫୋକସ ଷ୍ଟେଟ୍ ମାନ୍ୟତା ସହ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଏହାବାଦ୍ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଉୂମିହୀନ ଚାଷୀ ପରିବାର ଓ ଭାଗଚାଷୀଙ୍କୁ ସାମିଲ କରିବା ପାଇଁ ପ୍ରସ୍ତାବ ଦେବା ସହ ୨୦୧୯ ଏପ୍ରିଲ ସୁଦ୍ଧା ଅସମାପ୍ତ ଥିବା ସମସ୍ତ ଜଳସେଚନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ସାମିଲ କରିବା, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳମାର୍ଗ ସଂଯୋଗ କରିବା ପାଇଁ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ବ୍ୟାଙ୍କ ନଥିବା ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଇବା, ଭାରତ ନେଟ୍ ପ୍ରକଳ୍ପକୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରିବା ଏବଂ କୋଇଲା ରୟାଲିଟିକୁ ୧୪ରୁ ୨୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଗତ ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରି ନବୀନ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଭଳି ସ୍ପେଶାଲ ଫୋକସ୍ ଷ୍ଟେଟ୍ସ (ସ୍ୱତନ୍ତ୍ର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ) ମାନ୍ୟତା ଦେବା ପାଇଁ ଦାବି କରିଥିଲେ । ପ୍ରତିକୂଳ ଭୌଗୋଳିକ ସ୍ଥିତି ଯୋଗୁଁ ଓଡ଼ିଶାକୁ ଅଧିକାଂଶ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡୁଛି । ୧୯୯୯ରୁ ୨୦୧୯ ପର୍ଯ୍ୟନ୍ତ ପ୍ରତି ବର୍ଷ ଓଡ଼ିଶାକୁ ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ କ୍ଷତି ଘଟାଉଇଛି । ଏମିତିକି ୩୫ ପ୍ରତିଶତ ପ୍ରାକୃତିକ ବିପର୍ଯ୍ୟୟ ଉପକୂଳ ଭାରତରେ ସର୍ବାଧିକ ଓଡ଼ିଶାକୁ ପ୍ରଭାବିତ କରୁଛି । ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଏହି ସ୍ପେଶାଲ ଫୋକସ୍ ଷ୍ଟେଟ୍ସର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ଫାନିରେ ରାଜ୍ୟବ୍ୟାପୀ ମୋଟ ୯ ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ର ଗୃହ ବିଭାଗକୁ ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ତେବେ ଏନଡିଆରଏଫ ନିୟମରେ କୋହଳ କରି ୫ ହଜାର ୨୨୭.୬୮ କୋଟି ଟଙ୍କାର ସହାୟତା ରିଲିଫ ଓ ପୁନରୁଦ୍ଧାର ତୁରନ୍ତ ଦେବା ପାଇଁ ନବୀନ ଅନୁରୋଧ କରିଥିଲେ ।