ପିଲାଙ୍କ ସହ ଦୀପାବଳୀ ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ


ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଆରା ଭାବରେ ଦୀପାବଳୀ ପାଳନ କରିଛନ୍ତି । ରାଜଧାନୀରେ ଥିବା ସଓଏସ ଭିଲେଜର ପିଲାମାନଙ୍କ ସହ ଦୀପାବଳୀ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଭିଲେଜରେ ପିଲାଙ୍କ ସହ ବଡ଼ ଖୁସିରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ନବୀନ ଛୋଟଛୋଟ ପିଲାଙ୍କ ସହ କଥା ହୋଇଛନ୍ତି। ନବୀନ ପିଲାମାନଙ୍କୁ ଉପହାର ମଧ୍ୟ ଦେଇଛନ୍ତି।

ଦୀପାବଳି ଓ କାଳୀପୂଜା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି: ଦୀପାବଳି ଓ କାଳୀପୂଜାର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସରେ ପାଳିବା ସହିତ ଏହି ଖୁସିକୁ ଆପଣଙ୍କ ଆଖପାଖରେ ଥିବା ଅସହାର ଲୋକଙ୍କ ସହ ବାଣ୍ଟନ୍ତୁ। ମୋ ବିଶ୍ୱାସ ଏହା ଆପଣଙ୍କୁ ସୁବୁଠୁ ଅଧିକ ଆନନ୍ଦ ଦେବ। ଶୁଭ ଦୀପାବଳି।

କେବଳ ଏତିକି ନୁହେଁ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଶିଶୁପାଳନ କେନ୍ଦ୍ରଗୁଡ଼ିକୁ ଯାଇ ଦୀପାବଳୀ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏ ନେଇ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଏପିସି, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାସ୍ତରରେ ଜିଲ୍ଲାପାଳମାନଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଦିଆଯା ଥିଲା । ଅନ୍ୟପକ୍ଷରେ ପୁଲିସ ଡିଜି, ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଏସପି ମାନଙ୍କୁ ବିଭିନ୍ନ ବାଟାଲିୟନରେ ଯବାନ ଓ ସେମାନଙ୍କ ପରିବାର ସହ ଦୀପାବଳି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।