ସୁଦର୍ଶନ ପଟ୍ଟନାୟକ ହେଲେ ଲଳିତ କଳା ଏକାଡେମୀ ସଭାପତି

ଭୁବନେଶ୍ୱର : ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଓଡ଼ିଶା ସରକାର ରାଜ୍ୟ ଲଳିତ କଳା ଏକାଡେମୀର ପରବର୍ତ୍ତୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି । ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଏହି ଏକାଡେମୀର ସଭାପତି ଥିଲେ । କିନ୍ତୁ ସେ ରାଜ୍ୟସଭାକୁ ମନୋନୀତ ହେବା ପରେ ଗତ ଜୁଲାଇ ମାସରେ ଏହି ପଦରୁ ଇସ୍ତଫା ଦେଇଥିଲେ । ସେହି ଦିନଠାରୁ ଏହି ପଦ ଖାଲି ପଡ଼ିଥିଲା । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦରେ ସୁଦର୍ଶନ ପଟ୍ଟନାୟକଙ୍କୁ ନିଯୁକ୍ତି ଦେବା ସଂକ୍ରାନ୍ତ ଫାଇଲ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ବାଲୁକା ଶିଳ୍ପୀ ଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଥିବା ସୁଦର୍ଶନ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ପାଇସାରିଛନ୍ତି । ପୁରୀର ମରିଚିକୋଟରେ ଏକ ଗରୀବ ପରିବାରରେ ଜନ୍ମ ଗ୍ରହଣ କରିଥିବା ସୁଦର୍ଶନ ଇତିମଧ୍ୟରେ ୫୦ରୁ ଅଧିକ ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ସହିତ ତତୋଧିକ ପୁରସ୍କାର ଓ ସମ୍ମାନ ହାସଲ କରିସାରିଛନ୍ତି ।