କେନ୍ଦୁଝର କାନୁପୁର ସ୍ପିଲ ଚ୍ୟାନେଲ ଉପରେ ବନ୍ଧ ନିର୍ମାଣ ବିଳମ୍ବ ନେଇ ଗଡ଼କରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : କେନ୍ଦୁଝର କାନୁପୁର ସ୍ପିଲ ଚ୍ୟାନେଲ ଉପରେ ବନ୍ଧ ନିର୍ମାଣ ବିଳମ୍ବ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାରେ ନିର୍ମାଣାଧୀନ କାନୁପୁର ସ୍ପିଲ୍ ଚ୍ୟାନେଲ ଉପରେ ୪ ଲେନ ବ୍ରିଜ୍ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ଏହି ନିର୍ମାଣ କାର୍ଯ୍ୟ କେମିତି ଶୀଘ୍ର ହେବ, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ଚିଠିଲେ ଉଲ୍ଲେଖ କରିଛନ୍ତି। ଏହି ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ଦେଖାଦେଇଥିବା ଅଚଳାବସ୍ଥା ଦୂର ପାଇଁ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି ।

କାନୁପୁର ଜଳସେଚନ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ୨୦୦୪-୦୫ରୁ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା କାରଣରୁ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ସବୁଠାରୁ ବଡ଼ ସମସ୍ୟା ହେଉଛି କାନୁପୁର ସ୍ପିଲ ଚ୍ୟାନେଲ ଉପରେ ପ୍ରସ୍ତାବିତ ୪ ଲେନ ବ୍ରିଜ୍ ନିର୍ମାଣରେ ଅଚଳାବସ୍ଥା । ଏହି ବ୍ରିଜ ପାଇଁ ପ୍ରାରମ୍ଭରେ ୪୦.୬୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ରାଜ୍ୟ ସରକାର ଓ ଏନଏଚଏଆଇ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଏହି ପ୍ରକଳ୍ପର ୮୦ ପ୍ରତିଶତ ଅର୍ଥ ଏନଏଚଏଆଇ ବହନ କରିବ ଓ ଅବଶିଷ୍ଟ ୨୦ ପ୍ରତିଶତ ରାଜ୍ୟ ସରକାର ବହନ କରିବେ । କିନ୍ତୁ ପରେ ଏହି ବ୍ୟୟ ଅଟକଳକୁ ୧୦୦.୫୩ କୋଟିକୁ ବୃଦ୍ଧି କରାଯିବା ପରେ ୮୦ ପ୍ରତିଶତ ବ୍ୟୟ ଭାର ବହନ ଲାଗି ଏନଏଚଏଆଇ ରାଜି ହୋଇ ନଥିଲା । ତେବେ ଗତ ବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀରେ ଏନଏଚଏଆଇର ଅଧ୍ୟକ୍ଷ ଓ ଓଡ଼ିଶା ଜଳସେଚନ ବିଭାଗର ସଚିବଙ୍କ ମଧ୍ୟର ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଦୁଇପକ୍ଷ ରାଜି ହୋଇଥିଲେ । ଏଥିପାଇଁ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା କାନୁପୁର ପ୍ରୋଜେକ୍ଟ ଅଥରିଟି କାର୍ଯ୍ୟ ବନ୍ଦ କରିବା ସହ କାମ ଚୁକ୍ତିକୁ ବାତିଲ କରିଦେଇଥିଲେ, ଯେପରିକି ଏନଏଚଏଆଇ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିପାରିବ । କିନ୍ତୁ ଇତି ମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ପ୍ରକଳ୍ପ କାମ ଆରମ୍ଭ ହୋଇପାରି ନାହିଁ ।

odisha cm naveen patnaik wrote a letter to central minister nitin gadkari