ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିମାନବନ୍ଦରର ନାଁ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଜ୍ୟ ସରକାର ପୁରୀରେ ଜମି ଚହ୍ନଟ କରିଛନ୍ତି । ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ । ଆଜି ସକାଳେ ୫-ଞ ସଚିବ ଭିକେ ପାଣ୍ଡିଆନ ପୁରୀ ଯାଇ ବିମାନବନ୍ଦର ପାଇଁ ଚିହ୍ନଟ ହୋଇଥିବା ଜମି ଅନୁଧ୍ୟାନ କରିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଶ୍ରୀକ୍ଷେତ୍ର ପୁରୀ ଏକ ବିଶ୍ୱବିଖ୍ୟାତ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର । ଦେଶର ୪ ଧାମ ମଧ୍ୟରୁ ଜଗନ୍ନାଥ ଧାମ ଶ୍ରେଷ୍ଠ । ପୁରୀଠାରୁ ୩୫ କିଲୋମିଟର ଦୂରରେ ରହିଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର । ଚିଲ୍ଲିକା ହ୍ରଦକୁ ମଧ୍ୟ ସଂଯୋଗ କରୁଛି ପୁରୀ । ଧଉଳିଗିରି ଓ ରତ୍ନଗିରି ମଧ୍ୟ ପୁରୀ ପାଖରେ ରହିଛି । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱବିଖ୍ୟାତ । ପୁରୀ ବେଳାଭୂମି ନିକଟରେ ବ୍ଲୁ ଫ୍ଲାଗ୍ ବେଳାଭୂମିର ମାନ୍ୟତା ଲଭା କରିଛି । ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଭକ୍ତ ପୁରୀ ଆସନ୍ତି । ତେଣୁ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରାଯିବାର ଯଥାର୍ଥତା ରହିଛି । ପ୍ରସ୍ତାବିତ କୋଷ୍ଟାଲ ହାଇୱେ ଚିଲିକା, ପୁରୀ, କୋଣାର୍କ, ପାରାଦୀପ, ଭିତର କନିକା ଦେଇଯିବ । ପୁରୀକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ଏହା ମଧ୍ୟରେ କାମ ଆରମ୍ଭ ହୋଇଛି । ଏସବୁ ଦୃଷ୍ଟିରୁ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରାଯିବାର ଯଥାର୍ଥତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି ।

odisha cm-naveen patnaik writes to pm narendra modi to establish internation airport at puri