ପୁଣି ନବୀନ ନମ୍ବର ୱାନ୍‌

ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁଣି ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ସର୍ଭେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଲେ ନବୀନ ପଟ୍ଟନାୟକ । ସର୍ଭେ ରିପୋର୍ଟରେ ଶୀର୍ଷରେ ରହିଛନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରିପୋର୍ଟରେ କୋଭିଡ-୧୯ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରାଯାଇଛି । ସେହିପରି ମହାମାରୀ ମୁକାବିଲାରେ ବି ଓଡ଼ିଶା ଏକ ନମ୍ବର ହୋଇଛି । ଜନକଲ୍ୟାଣ ଯୋଜନା ଓ ଲୋକାଭିମୁଖୀ ଶାସନର ରୋଲ୍ ମଡେଲ ହେଉଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟରେ ବିକାଶ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନକୁ ପାଥେୟ କରି ଏହି ସର୍ଭେ କରାଯାଇଛି । ନାରୀ ସଶକ୍ତିକରଣ, ସ୍ଥିରତା, ସୁଶାସନ, ଦୁର୍ନୀତି ଓ ଭ୍ରଷ୍ଟାଚାରମୁକ୍ତ ଓଡ଼ିଶା ଗଠନରେ ନବୀନ ସାଜିଛନ୍ତି ଷ୍ଟେଟସ୍ ମ୍ୟାନ୍ । ସ୍ୱାସ୍ଥ୍ୟ ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନାରେ ସାରାଦେଶରେ ଉଦାହରଣ ପାଲଟିଛି ଓଡ଼ିଶା । କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରାଯାଇଛି । ଉଲ୍ଲେଖନୀୟ କୋଭିଡ ପରିଚାଳନାରେ ଓଡ଼ିଶା ନମ୍ବର ୧ । ସଫଳ କୋଭିଡ୍ ପରିଚାଳନା ପାଇଁ ଓଡ଼ିଶା ୭୬.୭ ପ୍ରତିଶତ ଲୋକଙ୍କଠାରୁ ମିଳିଛି ସମର୍ଥନ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ‘ଇଣ୍ଡିଆ ଟୁଡେ’ ପତ୍ରିକାଦ୍ୱାରା ହୋଇଥିବା ‘ମୁଡ୍ ଅଫ୍ ଦି ନେସନ୍‌-୨୦୨୨’ ସର୍ଭେରୁ ଜଣାପଡ଼ିଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧.୧% ରେଟିଙ୍ଗ୍ ହାସଲ କରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି । ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ପାଇଁ ଏହି ସର୍ଭେରେ ଜନସାଧାରଣଙ୍କୁ କୁହାଯାଇଥିଲା । ଏହି ସର୍ଭେରେ ଓଡ଼ିଶାରୁ ସମୁଦାୟ ୨,୭୪୩ଜଣ ବ୍ୟକ୍ତି ବିଶେଷଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରାୟ ୭୧% ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଦୀର୍ଘ ୨୨ ବର୍ଷ ହେବ ସରକାରରେ ରହିଥିଲେ ମଧ୍ୟ ନବୀନଙ୍କ ଲୋକପ୍ରିୟତା ଏଯାବତ କମିନାହିଁ । ତାଙ୍କ କାର୍ଯ୍ୟଶୈଳୀ ଓ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ହିଁ ତାଙ୍କ ଲୋକପ୍ରିୟତାକୁ ବଜାୟ ରଖିଛି । କେବଳ ଦେଶ କାହିଁକି ପୂରା ବିଶ୍ୱରେ ନବୀନଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ସେବା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଶର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନବୀନଙ୍କୁ ଆଗରେ ରଖିଛି । କେତେବେଳେ ବିପର୍ଯ୍ୟୟ ମୁକାବିଲାର ବିନ୍ଧାଣୀ ସାଜିଛନ୍ତି ତ ପୁଣି କେତେବେଳେ ପୂରା ବିଶ୍ୱ ମାନଚିତ୍ରରେ ଓଡ଼ିଶାର ନାଁକୁ ସାମିଲ କରି ଜନତାଙ୍କ ମନ ଜିଣିଛନ୍ତି ନବୀନ । ଏତିକିରେ ଅଟକିନାହାନ୍ତି ନବୀନ । ଦୀର୍ଘ ୨୨ ବର୍ଷର ସରକାରରେ ଓଡ଼ିଶାକୁ ଖାଦ୍ୟ ନିଅଣ୍ଟି ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟରେ ପରିଣତ କରିଛନ୍ତି । ନିରବିଚ୍ଛନ୍ନ ଭାବେ ନବୀନ ସରକାରକୁ ଜନସାଧାରଣ ଏଭଳି ଭଲପାଇବା ଦେବା ପଛରେ ରହିଛି ତାଙ୍କର ଜନକଲ୍ୟାଣକାରୀ ଯୋଜନା, ଲୋକାଭିମୁଖୀ ପଦକ୍ଷେପ ଓ ପରିବର୍ତ୍ତିତ ପ୍ରଶାସନିକ କାର୍ଯ୍ୟଶୈଳୀ । ଫଳରେ ସର୍ଭେରେ ସ୍ଥାନ ପାଇଥିବା ଦେଶର ୯ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇଛନ୍ତି ନବୀନ ।
ସେହିଭଳି, ଉକ୍ତ ସର୍ଭେରେ ୪,୯୮୨ଜଣ ବ୍ୟକ୍ତିବିଶେଷଙ୍କ ଠାରୁ ୬୯.୯% ରେଟିଙ୍ଗ୍ ପାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ଦ୍ୱିତୀୟ ଜନପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହାଛଡ଼ା, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍ ୬୭.୫% ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ୬୧.୮% ରେଟଙ୍ଗ୍ ହାସଲ କରି ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି । ଏହି ସର୍ଭେରେ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ୬୧.୧%, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ୫୭.୯%, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୫୬.୬% ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ୫୧.୪% ରେଟିଙ୍ଗ୍ ହାସଲ କରିଛନ୍ତି । ଆସାମ, ଗୁଜରାଟ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ସନ୍ତୋଷଜନକ କର୍ଯ୍ୟାବଳୀ ପାଇଁ ୪୦%ରୁ ଊର୍ଦ୍ଧ୍ୱ ରେଟଙ୍ଗ୍ ପାଇଛନ୍ତି ।