ବରିଷ୍ଠ ସାମ୍ବାଦିକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ଆରପାରିରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ। ଅନ୍ତିମ ଦର୍ଶନ ପାଇଁ ଭୁବନେଶ୍ବରସ୍ଥିତ ତାଙ୍କ ବାସଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଭିଡ ଲାଗିଛି । ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ଦିଲ୍ଲୀପଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସାମ୍ବାଦିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେ ଟ୍ବିଟ କରି ଲେଖିଛନ୍ତି କି” ବିଶିଷ୍ଟ ସାମ୍ବାଦିକ ତଥା ଅର୍ଥନୀତି ବିଶାରଦ ଦିଲ୍ଲୀପ ଶତପଥୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।”

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀପ ଶତପଥୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ”ତାଙ୍କ ବିୟୋଗରେ ଓଡ଼ିଶା ତଥା ଗଣମାଧ୍ୟମ ଜଗତକୁ କ୍ଷତି ହୋଇଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ବନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି” ବୋଲି ସେ ଟ୍ବିଟ କରି ଲେଖିଛନ୍ତି।