କୋଟିଆ, ପୋଲାଭରମ, ନେରେଡି, ଝଞ୍ଜାବତୀ ପ୍ରସଙ୍ଗ ଉପରେ ନବୀନ ଓ ଜଗନଙ୍କ ମଧ୍ୟରେ ଆଲୋଚନା

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ଵର  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ମଙ୍ଗଳବାର ଲୋକସେବା ଭବନରେ ଆୟୋଜିତ ବୈଠକରେ ଉଭୟ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସସମ୍ୟା ନେଇ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ସମସ୍ୟାର ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।


ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଉଭୟ ରାଜ୍ୟର ମୁଖ୍ୟ ସଚିବ ଏ ନେଇ ବ୍ୟବସ୍ଥା କରିବେ। ଆଲୋଚନା ନେଇ ଦୁଇ ମୁଖ୍ୟମନ୍ତ୍ରୀ ମିଳିତ ବିବୃତି ଜାରି କରିଛନ୍ତି। ବୈଠକରେ ଜଳ ସମସ୍ୟା, ସୀମା ବିବାଦ ଏବଂ ନକ୍ସଲ ମୁକାବିଲା ନେଇ ଆଲୋଚନା ହୋଇଛି। କୋଟିଆ, ପୋଲାଭରମ ପ୍ରକଳ୍ପ, ନେରେଡି, ବ୍ୟାରେଜ, ଝଞ୍ଜାବତୀ ରିଜର୍ଭର ପ୍ରସଙ୍ଗ ସହ ବାହୁଦା ନଦୀରୁ ଜଳ ନିଷ୍କାସନ ନେଇ ନବୀନ ଓ ଜଗନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହା ବାଦ୍ ବାଲିମେଳା ଏବଂ ଉପର ସିଲେରୁ ଶକ୍ତି କ୍ଷେତ୍ର, ସୀମାରେ ଗଞ୍ଜେଇ ଚାଷ ରୋକିବା ଏବଂ ମାଓ ଦମନ ନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଛି। ଆପୋଷ ବୁଝାମଣା ଭିତରେ ସବୁ ସମସ୍ୟାର ସମାଧାନ ହେବ ବୋଲି ଦୁଇ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।


ଅନ୍ୟଏକ ନିଷ୍ପତ୍ତି କ୍ରମେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ତେଲୁଗୁ ଚେୟାର ଖୋଲାଯିବ। ଅନ୍ୟପଟେ ଶ୍ରୀକାକୁଲମ ବି.ଆର. ବିଶ୍ଵ ବିଦ୍ୟାଳୟରେ ମଧ୍ୟ ଓଡିଶା ଚେୟାର ପ୍ରତିଷ୍ଠା ହେବ। ଏପରିକି ସୀମାବର୍ତ୍ତୀ ଜିଲ୍ଲା ସ୍କୁଲରେ ଭାଷା ଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଆଜି ଅପରାହ୍ନ ପ୍ରାୟ ୪ଟାରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓଡିଶା ଗସ୍ତରେ ଆସି ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏଠାରୁ ସିଧାସଳଖ ସେ ରାଜ୍ୟ ଅତିଥି ଭବନ ଆସିଥିଲେ। ଉଲ୍ଲେଖନୀୟ ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ ଦୀର୍ଘ ଦିନ ହେଲାଣି ଲାଗି ରହିଛି । ଅନେକ ସମୟରେ ଦୁଇ ରାଜ୍ୟରେ ସୀମା ବିବାଦକୁ ନେଇ ମୁହାଁମୁହିଁ ହେଉଛନ୍ତି ପ୍ରଶାସନିକ ଅଧିକାରୀ। ପୂର୍ବରୁ ଆନ୍ଧ୍ର ମଧ୍ୟ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିଛି । ଉଭୟ ରାଜ୍ୟର ସୀମାରେ ଥିବା ୨୧ ଟି ଗାଁକୁ ନେଇ ବିବାଦ ଲାଗି ରହିଛି । ଏପରିକି ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି । ତେଣୁ ଉଭୟଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନାର ରାସ୍ତା ବାହାରିପାରେ ବୋଲି ଆଶା କରାଯାଉଛି ।

odisha cm naveen patnaik discussed with andhra cm on kotia polavaram issue