ବଡ଼ଦିନ ପୂର୍ବରୁ ଶୁଭେଚ୍ଛା ଜଣାଇଲେ, ସାଣ୍ଟା ଟୋପି ପିନ୍ଧି କେକ୍ କାଟିଲେ ମୁଖ୍ୟମନ୍ତ୍ରୀ

ଖ୍ରୀଷ୍ଟମାସ ପୂର୍ବରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

ଭୁବନେଶ୍ୱର :  ବଡ଼ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋମବାର ସ୍ଥାନୀୟ କ୍ୟାଥୋଲିକ୍ ଚର୍ଚ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରଥମେ ସମସ୍ତଙ୍କୁ ବଡ଼ଦିନ ଏବଂ ଖ୍ରୀଷ୍ଟମାସ୍ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ଚର୍ଚ୍ଚ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତ କରାଯାଇଥିଲା । ସନ୍ଧ୍ୟା ୬ଟା୩୦ରେ ମୁଖ୍ୟମନ୍ତ୍ରୀ ଚର୍ଚ୍ଚରେ ପହଞ୍ଚିଥିଲେ । ତାଙ୍କୁ ଚର୍ଚ୍ଚ ପକ୍ଷରୁ ଫୁଲତୋଡ଼ା ଦିଆଯାଇ ସ୍ୱାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଚ୍ଚର୍ଚ୍ଚରେ ପହଞ୍ଚି ପ୍ରଥମେ ଖ୍ରୀଷ୍ଟମାସ କେକ୍ କାଟିଥିଲେ । ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ଉପଲକ୍ଷେ ସମସ୍ତଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇ ‘ଆଇ ଆମ୍ ଅଲ୍ୱେଜ୍ ୱିଥ୍ ୟୁ’ କହି ଚର୍ଚ୍ଚର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ପିଲାମାନେମୁଖ୍ୟମନ୍ତ୍ରୀଙ୍କୁ ସାଣ୍ଟା ଟୋପି ପିନ୍ଧାଇ ଖ୍ରୀଷ୍ଟମାସ୍ ଶୁଭେଚ୍ଛା ଜଣାଇଥିଲେ । ଏହାସହ ଷ୍ଟେଜ୍ ଉପରେ କାରୋଲ ଗାନ କରିଥିଲେ । ଏହାପରେ ପିଲାମାନଙ୍କୁ ଚକୋଲେଟ ବଣ୍ଟାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଆଚ୍ବି ସୋପ୍ ଜନ୍ ବୋରୁଆ, କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମୁନ୍ନା ଖାନ, ଜନ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଚର୍ଚ୍ଚର ଫାଦର ପ୍ରସନ୍ନ ପ୍ରଧାନ ସ୍ୱାଗତଭାଷଣ ଦେଇଥିବାବେଳେ ସିଷ୍ଟର ସିସିଲ୍ ଧନ୍ୟବାଦ ଅର୍ପଣ କରିଥିଲେ । ବଡ଼ଦିନ ଉପଲକ୍ଷେ ବିଭିନ୍ନ ଥିମ୍ ଉପରେ ପ୍ରତିଯୋଗିତାମାନ ରହିଛି । ସମସ୍ତ ଚର୍ଚ୍ଚରେ ଆକର୍ଷଣୀୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଲାଣି । ରାଜଧାନୀରେ ସମସ୍ତ ଚର୍ଚ୍ଚ ରଙ୍ଗ ବେରଙ୍ଗ ଆଲୁଅରେ ଝଲସୁଛି । ୨୪ ତାରିଖ ରାତିରେ ବିଧି ଅନୁସାରେ ସମସ୍ତ ପୂଜା ପାଠ କରାଯିବ । ତାପରେ ୨୫ ତାରିଖରେ ସମସ୍ତ ପିଲାମାନଙ୍କୁ ମିଠା, ଚକୋଲେଟ୍, କେକ୍ ଓ ଉପହାର ମାନ ଦିଆଯିବ । ସେମାନଙ୍କ ମଧ୍ୟରେ ଅନେକ ସାଣ୍ଟା ସାଜିଥାନ୍ତି । ବିଭିନ୍ନ ଭେରାଇଟ୍ର ଲାଇଟ୍, କ୍ୟାଣ୍ଡଲ, ଡୋର ପୋଷ୍ଟର, ବେଲ୍, ଖ୍ରୀଷ୍ଟମାସ୍ ଟ୍ରି, ସାଣ୍ଟା ବ୍ୟାଗ୍, ସାଣ୍ଟା କ୍ୟାପ୍, ସାଣ୍ଟା କ୍ଲଜ୍ ସଜାଇବାକୁ କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ବଡ଼ ଲୋକମାନେ ମଧ୍ୟ ଏହାକୁ ଉପଭୋଗ କରିବାନେଇ ଉକ୍ରଣ୍ଠା ଦେଖାଯାଇଛି ।