ମାଟ୍ରିକ ପରୀକ୍ଷା ଫିସ୍ ଛାଡ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ,୨୭ କୋଟି ଟଙ୍କା ବ୍ୟୟଭାର ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ର ସମାଜର ବୃହତର ସ୍ବାଥକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫି’ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଏ ବାବଦରେ ରାଜ୍ୟ ସରକାର ୨୭ କୋଟି ଟଙ୍କା ବ୍ୟୟଭାର ବହନ କରିବେ।

ସୂଚନାଯୋଗ୍ୟ ଯେ ପ୍ରତି ପିଲାଙ୍କୁ ମାଟ୍ରିକ ପରୀକ୍ଷା ନିମନ୍ତେ ୪୨୦ ଟଙ୍କା ଲେଖାଏଁ ଫି’ ଦେବାକୁ ପଡିଥାଏ । କରୋନା ମହାମାରୀ ପରିପ୍ରେକ୍ଷୀରେ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ ୯ ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରି ୮ ତାରିଖରୁ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ଖୋଲାଯାଇଛି । ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ତଥା ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ କ୍ଲାସ କରାଯାଉଛି। କରୋନା ଯୋଗୁ ବହୁ ଲୋକଙ୍କର ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଫଳରେ ଅର୍ଥାଭାବରୁ କୌଣସି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ।

odisha cm naveen patnaik  announces fee waiver for matric examination