ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ପରୀକ୍ଷା

ମୋଟ ୩,୪୯,୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି

ଭୁବନେଶ୍ୱର  : ମାର୍ଚ୍ଚ ୩ରୁ ଆରମ୍ଭ ହେବ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା । ଏନେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।  ସୂଚନା ଅନୁଯାୟୀ, ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ। ଏହା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ମାର୍ଚ୍ଚ ୪ ତାରିଖରୁ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୪ ତାରିଖରୁ ଯୁକ୍ତ ଦୁଇ କଳା ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଚାଲିବ। ଜାନୁଆରୀ ୨୭ରୁ ଫେବୃଆରୀ ୫ ତାରିଖ ଯାଏ ପ୍ରାକ୍ଟିକାଲ ପରୀକ୍ଷା ହେବ। ଚଳିତ ବର୍ଷ ମୋଟ ୩,୪୯,୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ବିଜ୍ଞାନ ବିଭାଗରେ ୯୭,୫୩୬ ଜଣ ଓ ବାଣିଜ୍ୟ ବିଭାଗରେ ୨୫,୭୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ କଳାରେ ୨ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଉଛନ୍ତି। ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ମୋଟ ୭୦୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)ର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ । ଚଳିତ ବର୍ଷ ପରୀକ୍ଷା କେନ୍ଦ୍ରଗୁଡିକରେ ସିସିଟିଭି ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି। ଏପରିକି ଯେଉଁ ସେଣ୍ଟରରେ ସିସିଟିଭି ଲାଗିନାହିଁ ସେହି ସେଣ୍ଟରଗୁଡିକୁ ଖୁବଶୀଘ୍ର ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ପରୀକ୍ଷା ପୂର୍ବରୁ ସିସିଟିଭି ନ ଲଗାଯାଇଥାଏ ତେବେ ସିସିଟିଭି ଲାଗିଥିବା ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସ୍ୱଷ୍ଟ କରାଯାଇଛି ।