ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ କରଙ୍କୁ ଜଣେ ପ୍ରତିଭାବାନ ରାଜନେତା ଏବଂ ଦକ୍ଷ ପ୍ରଶାସକ ଭାବରେ ବର୍ଣ୍ଣନା କରିଛନ୍ତି। ଓଡିଶା ବିଧାନସଭାର ବାଚସ୍ପତି ଭାବରେ ସେ ଦକ୍ଷତାର ସହ ଗୃହ ପରିଚାଳନା କରି ଏକ ଉତ୍ତମ ସଂସଦୀୟ ପରମ୍ପରା ପ୍ରତିଷ୍ଠା କରିଥିଲେ। ଓଡିଶା ସରକାରରେ ମନ୍ତ୍ରୀ ଭାବରେ ସେ ବିଭିନ୍ନ ସମୟରେ ତାଙ୍କର ନେତୃତ୍ବ ଓ ପ୍ରଶାସନିକ ଅଭିଜ୍ଞତାର ପରାକାଷ୍ଠା ରଖିଯାଇଛନ୍ତି। ଜଣେ ସୁଲେଖକ, ସୁବକ୍ତା ଭାବରେ ସ୍ବର୍ଗତ କର ସମସ୍ତଙ୍କର ଆଦରଣୀୟ ଥିଲେ । ଓଡିଆ ସଂସ୍କୃତି ସଂପର୍କରେ ତାଙ୍କର ଗଭୀର ଜ୍ଞାନ ଥିଲା । ତାଙ୍କ ବିୟୋଗରେ ରାଜ୍ୟ ଜଣେ ବିଶିଷ୍ଟ ରାଜନୈତିଜ୍ଞଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ଏଥିସହ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

odisha chief minister naveen patnayak condoles on demise of sarat kar

ଉଲ୍ଲେଖଯୋଗ୍ୟ, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା, ସୁସାହିତ୍ୟିକ ତଥା ବାଗ୍ମୀ ଶରତ କୁମାର କରଙ୍କର ୮୧ ବର୍ଷ ବୟସରେ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି।

odisha chief minister naveen patnayak condoles on demise of sarat kar